fbpx

କୋଭିଡ଼୍ ନିୟମ ଭାଙ୍ଗିଲେ ୫୦୦ ଟଙ୍କା ଜରିମାନା: BMC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଏହାର ମୁକାବିଲା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଥିଲେ ବି ଲୋକମାନେ ଏହାକୁ ଫୁ’ କରି ଉଡ଼ାଇ ଦେଉଛନ୍ତି । ଏହାରି ମଧ୍ୟରେ ଶକ୍ତ ପଦକ୍ଷେପ ଗ୍ରହଣ କରିବା ଭୁବେନଶ୍ୱର ମହାନଗର ନିଗମ । କୋଭିଡ଼ ନିୟମ ଭାଙ୍ଗିଲେ ୫ ଶହ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ବିଏମସି ଧାର୍ଯ୍ୟ କରିଛି । ଘରୁ ବାହାରିଲେ ସଠିକ୍ ଭାବେ ମାସ୍କ ପିନ୍ଧିବା ସୁନିଶ୍ଚିତ କରନ୍ତୁ । ସର୍ବ ସାଧାରଣ ସ୍ଥାନରେ ୨ ମିଟର ଦୂରତା ଓ ଭିଡ଼ରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଇଛି ।

ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଉଥିବା ଜଣାପଡ଼ିଛି । ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ାଉ ପରେ ବି ସଂକ୍ରମଣ କମୁନାହିଁ । ଗତ କିଛିଦିନ ତଳେ ସଂକ୍ରମଣ ୧୫ରୁ ୨୦ଟି ଜିଲ୍ଲା ମଧ୍ୟରେ ସୀମିତ ରହୁଥିବା ବେଳେ ଏବେ ଏହା ରାଜ୍ୟବ୍ୟାପୀ ମାଡ଼ିଗଲାଣି । ଆଜି ୪୮୨୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୮୨୩ ଓ ସ୍ଥାନୀୟ ଅଞ୍ଚଳରୁ ୨୦୦୬ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୪୪୮ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୫ ହଜାର ୬୯୮ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୪୬ ହଜାର ୬୧୭ ରହିଥିବା ବେଳେ ୨୦ ହଜାର ୫୬୦ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.