ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ ହେଲା ୫୪ଟି ଟ୍ରେନ

ଓଡିଶା ଭାସ୍କର; ସମ୍ଭାବ୍ୟ ବାତ୍ୟା ‘ମିଚୌଙ୍ଗ୍’ କୁ ଦୃଷ୍ଟିରେ ରଖି ବାତିଲ ହେଲା ୫୪ଟି ଟ୍ରେନ। ପୁଡୁଚେରୀ, ତାମିଲନାଡୁ, ଆନ୍ଧ୍ର ଓ ପଶ୍ଚିମବଙ୍ଗ ଦେଇ ଯାଉଥିବା ଏହି ଟ୍ରେନକୁ ବାତିଲ କରାଯାଇଛି। ଏଥିରେ ପୁରୀ-ଚେନ୍ନାଇ, ଭୁବନେଶ୍ୱର-ତିରୁପତି ଏକ୍ସପ୍ରେସକୁ ବାତିଲ କରାଯାଇଛି। ସେହିପରି ଭୁବନେଶ୍ୱର-ବାଙ୍ଗାଲୋର ଏକ୍ସପ୍ରେସ ସମେତ ଅନ୍ୟାନ ଟ୍ରେନକୁ ବାତିଲ କରାଯାଇଛି। ଆସନ୍ତା ୬ ତାରିଖ ପର୍ୟ୍ୟନ୍ତ ରେଳ ସେବା ପ୍ରଭାବିତ ହେବ ବୋଲି କୁହାଯାଉଛି। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳକୁ ବାତିଲ କରାଯିବା ନିଷ୍ପତି ନିଆଯାଇଛି।

ସୂଚନା ଥାଉକି, ଘଣ୍ଟା ପ୍ରତି ୮୦ରୁ ୯୦ କିଲୋମିଟର୍‌ ବେଗରେ ପ୍ରବାହିତ ବତାସ ଓ ପ୍ରବଳ ବର୍ଷା ସହିତ ଡିସେମ୍ବର ୫ ତାରିଖ ପୂର୍ବାହ୍ନରେ ସାମୁଦ୍ରିକ ବାତ୍ୟା ‘ମିଚୌଙ୍ଗ୍’ ଆନ୍ଧ୍ରପ୍ରଦେଶର ଉପକୂବର୍ତ୍ତୀ ଅଞ୍ଚଳ ନେଲୋର୍‌ ଓ ମଛିଲିପଟନମ୍‌ ମଧ୍ୟରେ ସ୍ଥଳଭାଗକୁ ପ୍ରବେଶ କରିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଯାହା ପରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୫୪ଟି ଟ୍ରେନ୍‌କୁ ବାତିଲ କରିଛି ପୂର୍ବତଟ ରେଳବାଇ ବା ଇଷ୍ଟକୋଷ୍ଟ ରେଲୱେ। ପୂର୍ବତଟରୁ ବାହାରୁଥିବା ୧୨ଟି ଏବଂ ପୂର୍ବତଟ ଦେଇ ଯାଉଥିବା ୪୨ଟି ଟ୍ରେନ୍‌କୁ ବାତିଲ କରାଯାଇଛି।

ତେବେ ବର୍ତ୍ତମାନ ପାଣିପାଗ ବିଭାଗ ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ମାଡ଼ି ଆସୁଛି। ୨୪ ଘଣ୍ଟାରେ ଏହା ନେବ ବାତ୍ୟାର ରୂପ। ଏହା ୪ ତାରିଖରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳର ନିକଟତର ହେବ ୫ରେ ନେଲୋର-ମଛଲିପଟ୍ଟନମ୍ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବ। ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ସର୍ବାଧିକ ୧୦୦ କିମି ରହିପାରେ।