ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ପୂର୍ବତଟ ରେଳବାଇ ପକ୍ଷରୁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ୬ ହଜାରରୁ ଅଧିକ ଲୋକଙ୍କୁ ଦିଆଯିବ ନିଯୁକ୍ତି । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ବିଜ୍ଞାପନ ଜାରି କରାଯାଇଛି । ବୈଷୟିକ ବିଭାଗରେ ଇଞ୍ଜିନିୟର, ଆର୍କିଟେକ୍ସ ଭଳି ପଦବୀରେ ନିଯୁକ୍ତି ଦିଆଯିବାକୁ ଥିବାବେଳେ ଅଣବୈଷୟିକ ବିଭାଗରେ ଆକାଉଣ୍ଟ ଆସିଷ୍ଟାଣ୍ଟ, ଲ’ ଆସିଷ୍ଟାଣ୍ଟ ଆଦି ପଦରେ ନିଯୁକ୍ତି ଦିଆଯିବ ।
ତେବେ ଏହି ନିଯୁକ୍ତିର ଇଞ୍ଜିନିୟର ପଦ ପାଇଁ ୫ ବର୍ଷର ଅଭିଜ୍ଞତା ଧାର୍ଯ୍ୟ କରାଯାଇଥିବା ବେଳେ ଆକାଉଣ୍ଟ ବିଭାଗ ପାଇଁ ୨୦ ବର୍ଷ ରଖାଯାଇଛି । ସୂଚନା ମୁତାବକ, ୬ ହଜାରରୁ ଅଧିକ ଲୋକଙ୍କୁ ଆଉଟସୋର୍ସିଂ ଜରିଆରେ ନିଯୁକ୍ତି ଦିଆଯିବ । ସେମାନେ ୩ ବର୍ଷ ପାଇଁ ନିଯୁକ୍ତି ପାଇବେ । ସେଥିପାଇଁ ୫୪ କୋଟିରୁ ଅଧିକ ଟଙ୍କାର ଟେଣ୍ଡର ଧାର୍ଯ୍ୟ କରାଯାଇଛି ।
ଗତ ଜୁନ ମାସ ୨ ତାରିଖରେ ବାହାନଗା ଠାରେ ଘଟିଥିବା ଭୟଙ୍କର ଦୁର୍ଘଟଣା ପରେ ରେଳବାଇର ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଥିଲା । ତେଣୁ ରେଳ ସୁରକ୍ଷା ସମ୍ପର୍କିତ ମାଗଦର୍ଶିକାରେ ପରିବର୍ତ୍ତନ କରିବା ସହିତ ଇଞ୍ଜିନିୟରିଂ ବିଭାଗର ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ରେଳ ବିଭାଗ ନୂଆ ମାର୍ଗଦର୍ଶିକ ଜାରି କରିଥିଲା । ତେବେ ରେଳ ବୋର୍ଡ ବିଭିନ୍ନ ବୈଷୟିକ ଓ ଅଣବୈଷୟିକ ବିଭାଗରେ ଠିକା ନିଯୁକ୍ତି ପାଇଁ ନିଷ୍ପତ୍ତି ନେଇଥିବାରୁ ଏନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ଠିକାରେ ଇଞ୍ଜିନିୟରଙ୍କ ନିଯୁକ୍ତି ଦିଆଯାଏ ତେବେ ସେମାନଙ୍କର ଏହି କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞତା ରହିଥିବା ଆବଶ୍ୟକ ବୋଲି ରେଳ ସୁରକ୍ଷା ବିଶେଷଜ୍ଞ ପ୍ରଶ୍ନ କରିଛନ୍ତି । ବାହାନଗା ଦୁର୍ଘଟଣା ପରେ ଠିକା କର୍ମଚାରୀଙ୍କ ଦକ୍ଷତା ନେଇ ପ୍ରଶ୍ନ ଉଠିଥିବା ବେଳେ ଏଭଳି ଅତ୍ୟନ୍ତ ସମ୍ବେଦନଶୀଳ ମାମଲାରେ ନିଯୁକ୍ତି ସର୍ତ୍ତ ସଂଶୋଧନ କରିବା ଓ ନିଯୁକ୍ତି ବେଳେ ଦକ୍ଷତାକୁ ଗୁରୁତ୍ୱ ଦେବା ନେଇ ମତ ପ୍ରକାଶ ପାଇଛି ।