fbpx

କୋଭିସିଲ୍ଡ ନେବା ପରେ ୭ ଜଣଙ୍କୁ ଗଲିଆନ୍ ବାର୍ ସିଣ୍ଡ୍ରୋମ୍ : ଜାଣନ୍ତୁ କଣ ଏହି ରୋଗ

ଏର୍ଣ୍ଣାକୁଲମ୍ (ଓଡ଼ିଶା ଭାସ୍କର): କରୋନା ଟିକା କୋଭିସିଲ୍ଡ ନେବା ପରେ କେରଳର ୭ ଜଣଙ୍କ ଠାରେ ସ୍ନାୟବିକ ସମସ୍ୟା ଦେଖା ଦେଇଛି । ଗଲିଆନ୍ ବାର୍ ସିଣ୍ଡ୍ରୋମ୍ (ଜିବିଏସ୍) ନାମକ ଏକ ବିରଳ ରୋଗ ଦ୍ୱାରା ୭ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସମସ୍ତ ୭ ଜଣ ଆକ୍ରାନ୍ତ କୋଭିସିଲ୍ଡ ଟିକା ନେବା ପରେ ଏଥିରେ ଆକ୍ରାନ୍ତ ହୋଇଥିବାକ କୁହାଯାଇଛି । ଏହି ରୋଗଟି ଅତ୍ୟନ୍ତ ବିରଳ । ବିଶ୍ୱରେ ପ୍ରତି ୫୮ ଲକ୍ଷ ଲୋକଙ୍କ ମଧ୍ୟରୁ ଜଣେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । କେରଳରେ ବର୍ତ୍ତମାନ ସୁଦ୍ଧା ୧୨ ଲକ୍ଷ ଲୋକଙ୍କ ଟିକାକରଣ ହୋଇଥିବା ବେଳେ ଏହା ମଧ୍ୟରୁ ୭ ଜଣ ଏହି ବିରଳ ରୋଗରେ ପୀଡିତ ହେବା ଚିନ୍ତା ବଢାଇଛି ।

ଜିବିଏସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ଶରୀରର ଇମ୍ୟୁନୋ ସିଷ୍ଟମ(ରୋଗ ପ୍ରତିରୋଧକ ଶକ୍ତି) ଏହାର ସ୍ନାୟବିକ ବ୍ୟବସ୍ଥାକୁ ଆକ୍ରମଣ କରିଥାଏ । ସ୍ନାୟବିକ ଆକ୍ରମଣ ଦ୍ୱାରା ବ୍ୟକ୍ତିଙ୍କ ପାଦ ପ୍ରଥମେ ପ୍ରଭାବିତ ହୋଇଥାଏ । ଧୀରେ ଧୀରେ ଏହା ଉପର ଶରୀରକୁ ପ୍ରଭାବିତ କରିବା ସହିତ ସମଗ୍ର ଶରୀରକୁ ପାରାଲାଇଜ୍(ଅଚଳ) କରି ଦେଇଥାଏ । ଏହି ରୋଗରେ ଆକ୍ରାନ୍ତ ହେଲେ ରୋଗୀଙ୍କୁ ମେକାନିକାଲ ଭେଣ୍ଟିଲେଟର ମଧ୍ୟରେ ରଖି ଚିକିତ୍ସା କରିବାକୁ ପଡିଥାଏ । କେରଳ ଡାକ୍ତରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ଏହି ବିରଳ ରୋଗରେ ଆକ୍ରାନ୍ତ ହୋଇଥିବା ସମସ୍ତଙ୍କ ବୟସ ୫୦-୭୦ ହୋଇଥିବା ବେଳେ ଏହା ମଧ୍ୟରେ ୬ ଜଣ ମହିଳା ରହିଛନ୍ତି । ୩ ଜିଲ୍ଲା ଏର୍ଣ୍ଣାକୁଲମ, କୋଟ୍ଟାୟମ ଏବଂ କନ୍ନୁରରେ ଏହି ଆକ୍ରାନ୍ତ ମାନେ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.