fbpx

(Video) ଜାଲିଆତି କରି ଭାରତୀୟଙ୍କୁ ସେନାରେ ଭର୍ତ୍ତି କରୁଛି ରୁଷ୍; ଭିଡିଓରେ ଦୁଃଖ ବଖାଣିଲେ ୭ ପଞ୍ଜାବୀ ଯୁବକ

ନୂଆଦିଲ୍ଲୀ: ରୁଷ୍ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ। ଭାରତୀୟଙ୍କୁ ଧୋକା ଦେଇ ସେନାରେ ଭର୍ତ୍ତି କରୁଛି ରୁଷ୍। ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଲଢ଼ିବା ପାଇଁ ପ୍ରଶିକ୍ଷଣ ଦେଉଥିବା ଅଭିଯୋଗ। ଭିଡିଓ ମାଧ୍ୟମରେ ଅଭେଯୋଗ ଆଣିଲେ ୭ ଜଣ ପଞ୍ଜାବୀ ଯୁବକ। ଏହି ଭିଡିଓ ଜାରି କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭାରତ ଫେରିବାରେ ସାହାଯ୍ୟ କରିବାକୁ କରିଛନ୍ତି ନିବେଦନ। ଯେକୌଣସି ସମୟରେ ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଲଢ଼ିବା ପାଇଁ ତାଙ୍କୁ ପଠାଯାଇପାରେ ବୋଲି ସେ କହିଛନ୍ତି। ୧୦୫ ସେକେଣ୍ଡର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏକ କୋଠରୀରେ ୭ ଜଣ ଲୋକ ଠିଆ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଗନଦୀପ ସିଂହ ନାମକ ଜଣେ ବ୍ୟକ୍ତି ପୂରା ଘଟଣା କହୁଛନ୍ତି। ବାକି ୬ଟି କୋଣରେ ଲୁଚି ରହିଛନ୍ତି।

ଭିଡିଓରେ ଗଗନଦୀପ କହିଛନ୍ତି ଯେ ସେମାନେ ନୂଆ ବର୍ଷରେ ବୁଲିବାକୁ ଆସିଥିଲେ। ଜଣେ ଏଜେଣ୍ଟ ସେମାନଙ୍କୁ ବିଭିନ୍ନ ସ୍ଥାନରେ ବୁଲାଉଥିଲେ। ଏହାପରେ ଏଜେଣ୍ଟ ତାଙ୍କୁ ବେଲାରୁସ୍ ନେଇଯିବେ ବୋଲି କହିଥିଲେ। ସେମାନେ ଜାଣି ନଥିଲେ ଯେ ବେଲାରୁସ୍ ଯିବା ପାଇଁ ଭିସା ଦରକାର ଥାଏ । ଏହାପରେ ଏଜେଣ୍ଟ ଟଙ୍କା ମାଗିବା ଆରମ୍ଭ କରିଥିଲେ। ଯାହା ଟଙ୍କା ଥିଲା ଏଜେଣ୍ଟଙ୍କୁ ଦେଇଥିଲେ। ହେଲେ କିଛି ଟଙ୍କା ନ ଦେବାରୁ ଏଜେଣ୍ଟ ସେହି ଭାରତୀୟମାନଙ୍କୁ ରାସ୍ତାରେ ଛାଡି ଦେଇଥିଲେ, ସେମାନଙ୍କୁ ପୋଲିସ ଧରି ରୁଷୀୟ ସେନାକୁ ଦେଇଥିଲା ।

ସେନା ବଳପୂର୍ବକ କାଗଜପତ୍ରରେ ଦସ୍ତଖତ କରି ଯୁଦ୍ଧ ପାଇଁ ତାଲିମ ଦେଇଥିଲା। ସମସ୍ତେ ଏହି କାମ କରିବା ପାଇଁ ଚୁକ୍ତିରେ ସ୍ୱାକ୍ଷର କରନ୍ତୁ, ନଚେତ୍ ସେମାନଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ଦିଆଯିବ ବୋଲି ରୁଷ୍ ସେନା ଧମକ ଦେଇଥିଲା। ଏହାପରେ ସେନା ସମସ୍ତଙ୍କୁ ଦସ୍ତଖତ କରାଇ ପ୍ରଶିକ୍ଷଣ ଆରମ୍ଭ କରିଥିଲା। ଏହାପରେ ହିଁ ଭାରତୀୟମାନେ ଜାଣିବାକୁ ପାଇଲେ ଯେ ସେମାନେ ଠକାମୀର ଶିକାର ହୋଇଛନ୍ତି। ଗଗନଦୀପ କହିଛନ୍ତି ଯେ ବନ୍ଧୁକ ଚଳାଇବା କୁ ସେ ମଧ୍ୟ ଜାଣନ୍ତି ନାହିଁ । ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଲଢ଼ିବା ପାଇଁ ରୁଷ୍ ସେମାନଙ୍କୁ ସର୍ବଦା ନିୟୋଜିତ କରିପାରିବ। ପୂର୍ବରୁ ଅନେକ ଭାରତୀୟଙ୍କୁ ଯୁଦ୍ଧ ପାଇଁ ପଠାଯାଇଛି।

Get real time updates directly on you device, subscribe now.