fbpx

ବିଷାକ୍ତ ମଦ ନେଲାଣି ୭୦ ଜଣଙ୍କ ଜୀବନ: କିଏ ରୋଗରେ ଆକ୍ରାନ୍ତ ତ ଆଉ କିଏ ହୋଇଗଲାଣି ଅନ୍ଧ

ନୂଆଦିଲ୍ଲୀ: ବିଷାକ୍ତ ମଦ୍ୟପାନ କରିବା ଯେ କେତେ ଭୟଙ୍କର ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ମଦ୍ୟପାନ କରି ୨୪ ଜଣଙ୍କର ଅକାଳରେ ମୃତ୍ୟୁ ଘଟିଛି । ଏଥିସହ କିଛି ଲୋକ ରୋଗରେ ଆକ୍ରାନ୍ତ ହେବା ସହ ଆଉ କେତେଜଣଙ୍କ ଆଖିର ଦୃଷ୍ଟିଶକ୍ତି ଚାଲିଥିବା ଜଣାପଡ଼ିଛି । ଗତ ୧୦ ଦିନ ମଧ୍ୟରେ ଉତ୍ତର ବିହାରରେ ତୃତୀୟ ଥର ପାଇଁ ବିଷାକ୍ତ ମଦମୃତ୍ୟୁ ଘଟଣା ଦେଖିବାକୁ ମିଳିଛି ।

ସୂଚନା ମୁତାବକ ମଦ୍ୟପାନ କରି ଚମ୍ପାରଣ ଜିଲ୍ଲାରେ ୮ ଜଣ ଓ ଗୋପାଳଗଞ୍ଜ ଜିଲ୍ଲାରେ ୧୬ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ଏତେସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିଥିଲେ ହେଁ ଏହା ପଛର ପ୍ରକୃତ କାରଣ ନେଇ ପ୍ରଶାସନ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇନାହିଁ । ଏହି ମାମଲାକୁ ୩ଟି ଟିମ୍ ଯାଞ୍ଚ କରୁଥିବା ବେଳେ ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ୨୦ରୁ ଅଧିକ ଅନୁସୂଚିତ ଜାତିର ଲୋକମାନେ ସ୍ଥାନୀୟ ବ୍ୟବସାୟୀଙ୍କ ଦ୍ୱାରା ବିକ୍ରି ହେଉଥିବା ନକଲି ମଦ୍ୟପାନ କରିଥିଲେ । ମଦ ପିଇବା ପରେ ୮ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ସେମାନେ ହସ୍ପିଟାଲରେ ପ୍ରାଣ ହରାଇଥିଲେ ବୋଲି ପୋଲିସ ଅଧିକ୍ଷକ ସୂଚନା ଦେଇଛନ୍ତି । ଗତ ଜାନୁଆରୀରୁ ଅକ୍ଟୋବର ୩୧ ତାରିଖ ମଧ୍ୟରେ ନକଲି ମଦ୍ୟପାନ କରି ନବାଦା, ପଶ୍ଚିମ ଚମ୍ପାରଣ, ମୁଜଫରପୁର, ସୀବାନ ଓ ରୋହତାସ ଜିଲ୍ଲାରେ ୭୦ ଜଣଙ୍କ ମୃତ୍ୟୁ ଘଟିଲାଣି । ସେମାନଙ୍କ ମଧ୍ୟରୁ ଅନେକ ନିଜର ଦୃଷ୍ଟିଶକ୍ତି ହରାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.