fbpx

ଆଉ ନାହାନ୍ତି ସୂର୍ଯ୍ୟମଣି: ୭୦ ବର୍ଷରେ ବି ସଂଘର୍ଷ କରୁଥିବା ବୃଦ୍ଧା ନାରୀର ଯାତ୍ରା ସରିଗଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ମାସରେ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ଜଣେ ୭୦ ବର୍ଷୀୟା ମହିଳା ସୂର୍ଯ୍ୟମଣି ହରିଜନଙ୍କୁ ନେଇ ସାରା ଦେଶରେ ବେଶ୍ ଚର୍ଚ୍ଚା ହୋଇଥିଲା । ବୟସର ସାହାହ୍ନରେ ଉପନୀତ ହୋଇଥିଲେ ବି ସୂର୍ଯ୍ୟମଣି ନିଜର ଭତ୍ତା ଟଙ୍କା ପାଇଁ ଯେଉଁ କଠୋର ସଂଘର୍ଷ କରିଥିଲେ ତାହା ସାରା ଭାରତବର୍ଷକୁ ହତବାକ କରିଦେଇଥିଲା । ଗୋଟିଏ ଭଙ୍ଗା ଚୌକି ସାହାରାରେ ସୂର୍ଯ୍ୟମଣି ନିଛାଟିଆ ରାସ୍ତାରେ ବହୁ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ ।

ତେବେ ଏହା ମଧ୍ୟରେ ସୂର୍ଯ୍ୟମଣିଙ୍କୁ ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆଉ ନାହାନ୍ତି ସେହି ସାହସୀ ମହିଳା ସୂର୍ଯ୍ୟମଣି । ବୃଦ୍ଧାବସ୍ଥାରେ ପର ଉପରେ ନିର୍ଭର ନକରି ନିଜେ ସଂଘର୍ଷ କରି ଆସୁଥିବା ସୂର୍ଯ୍ୟମଣି ଅସ୍ତମିତ ହୋଇଯାଇଛନ୍ତି । ବାର୍ଦ୍ଧକ୍ୟଜନିତ କାରଣରୁ ଗତ ଏକ ସପ୍ତାହ ହେବ ସେ ଅସୁସ୍ଥ ହୋଇପଡ଼ିଥିଲେ । ୪ ଦିନ ହେଲା ସେ ଖାଇବା ପରିତ୍ୟାଗ କରି ଦେଇଥିବା ବେଳେ ଗତକାଲି ରାତି ୧୧ଟା ସମୟରେ ସେ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଥିଲେ । ସୂର୍ଯ୍ୟମଣିଙ୍କ ସଂଘର୍ଷମୟ କାହାଣୀ ମନେପଡ଼ିଲେ ଏବେ ବି ଆଖି ଛଳଛଳ ହୋଇ ଯାଉଛି ।

ସୂର୍ଯ୍ୟମଣିଙ୍କର ଏହି ସଂଘର୍ଷମୟ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ କରି ବ୍ୟାଙ୍କକୁ ତାଗିଦ୍ କରିଥିଲେ । ଝରିଗାଁ ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତର ଏହି ବୟସ୍କ ମହିଳାଙ୍କୁ ତୁରନ୍ତ ଭତ୍ତା ଟଙ୍କା ପ୍ରଦାନ କରିବାକୁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହାପରେ ବ୍ୟାଙ୍କ ଅଧିକାରୀମାନେ ସୂର୍ଯ୍ୟମଣିଙ୍କ ଘରକୁ ଯାଇ ତାଙ୍କୁ ଭତ୍ତା ଟଙ୍କା ପ୍ରଦାନ କରିଥିଲେ । ତେବେ ସବୁଠାରୁ ଦୁଃଖର କଥା ଏହି କି ଯେ, ପୂର୍ବରୁ ସୂର୍ଯ୍ୟମଣି ଭତ୍ତା ଟଙ୍କା ପାଇବାକୁ ସଂଘର୍ଷ କରୁଥିଲେ । ମାତ୍ର ଆଜି ପ୍ରଶାସନ ପକ୍ଷରୁ ତାଙ୍କୁ ସେହି ସୁବିଧା ପ୍ରଦାନ କରାଯିବା ପରେ ସୁଖ ଉପଭୋଗ କରିବା ସମୟରେ ସେ ଆରପାରିକୁ ଚାଲିଯାଇଛନ୍ତି ।

Get real time updates directly on you device, subscribe now.