fbpx

୪୬ ବର୍ଷ ତଳର ଘଟଣା: ଗୋଟିଏ ଦିନରେ ଘଟିଥିଲା ୯୦୦ ଲୋକଙ୍କର ମୃତ୍ୟୁ, ଶୁଣିଲେ ଆଜି ବି ଛାତି ଥରି ଉଠେ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ ଏଭଳି କିଛି ଅବିଶ୍ୱସନୀୟ ଘଟଣା ଘଟିଥାଏ, ଯାହା ବିଷୟରେ ଶୁଣିବା ପରେ ଆମର ମନ-ଶରୀର ସତେ ଯେମିତି ଓଲଟ ପାଲଟ ହୋଇଯାଏ । ବେଳେବେଳେ ମାନସିକ ଦୁଶ୍ଚିନ୍ତା କାରଣରୁ କିଛି ପୁରୁଷ, ମହିଳା ନିଜ ଜୀବନ ହାରୁଥିବା ବେଳେ ଅନେକ ସମୟରେ ଗୋଟିଏ ପରିବାରର ସଦସ୍ୟମାନେ ଏକସଙ୍ଗେ ଜୀବନ ହାରିଥାନ୍ତି । ଗତ ୨୦୧୮ ମସିହାରେ ଦେଶର ରାଜଧାନୀ ଦିଲ୍ଲୀର ବୁରାରୀରେ ରହୁଥିବା ଗୋଟିଏ ପରିବାରର ୧୧ ସଦସ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସୁଇସାଇଡ୍ କରିଥିଲେ ।

ତେବେ ଦିଲ୍ଲୀ ଘଟଣାଠାରୁ କାହିଁ କେତେ ଗୁଣରେ ଅଧିକ ଭୟଙ୍କର ଅନେକ ଘଟଣା ଏଇ ବିଶ୍ୱ ବକ୍ଷରେ ମଧ୍ୟ ସଂଘଟିତ ହୋଇଛି । ଅନ୍ଧବିଶ୍ୱାସ କାରଣରୁ ଏକସଙ୍ଗେ ୯୦୦ ଜଣ ଲୋକଙ୍କ ଜୀବନ ଚାଲିଯାଇଥିଲା । ଆମେରିକାର ଗୁୟାନାର ଜୋନ୍ସଟାଉନରେ ଘଟିଥିବା ଉକ୍ତ ଘଟଣାକୁ ବିଶ୍ୱର ଅନ୍ୟତମ ବଡ଼ ହତ୍ୟା-ସୁଇସାଇଡ୍ ଘଟଣା କୁହାଯାଉଛି । ଆଜିକୁ ୪୬ ବର୍ଷ ପୂର୍ବେ ଏପରି ଏକ ଘଟଣା ଘଟିଥିଲା ।

୧୯୭୮ ମସିହା ନଭେମ୍ବର ମାସ ୧୮ ତାରିଖରେ ବିଷପାନ କାରଣରୁ ୯୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା । କିଛି ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବିଷପାନ କରିଥିବା ବେଳେ ଆଉ କେତେକଙ୍କୁ ବଳପୂର୍ବକ ବିଷପାନ କରାଯାଇଥିଲା । ଏହି ଘଟଣା ପଛରେ ଜିମ ଜୋନ୍ସ ନାମକ ଜଣେ ଧର୍ମଗୁରୁଙ୍କର ହାତ ଥିଲା । ଲୋକଙ୍କୁ ସାହାଯ୍ୟ କରିବା ନାମରେ ୧୯୫୬ରେ ଜୋନ୍ସ ‘ପିପୁଲ୍ସ ଟେମ୍ପଲ୍’ ନାମକ ଏକ ଚର୍ଚ୍ଚ ଗଠନ କରିଥିଲେ । ତା’ପରେ ସେ ନିଜର ଧର୍ମବାଣୀ ଓ ଅନ୍ଧବିଶ୍ୱାସ ଦ୍ୱାରା ହଜାର ହଜାର ଲୋକଙ୍କୁ ନିଜର ଅନୁଗାମୀ କରିପାରିଥିଲେ । ଜୋନ୍ସ କମ୍ୟୁନିଷ୍ଟ ବିଚାରବାଦୀ ଥିଲେ, ଯାହାକି ଆମେରିକା ସରକାରଙ୍କଠାରୁ ଭିନ୍ନ ଥିଲା । ସେଥିପାଇଁ ସେ ନିଜର ଅନୁଗାମୀଙ୍କ ସହ ଗୁୟାନାର ଜଙ୍ଗଲକୁ ଚାଲିଯାଇ ସେଠାରେ ଏକ ଗ୍ରାମ ସ୍ଥାପନ କରିଥିଲେ ।

କିଛିଦିନ ପରେ ଜୋନ୍ସଙ୍କର ଅସଲି ପରିଚୟ ଲୋକଙ୍କ ସାମନାକୁ ଆସିଥିଲା । ଆମେରିକା ସରକାର ଜୋନ୍ସଙ୍କ ବିଷୟରେ ସବୁକିଛି ଜାଣିପାରିଥିଲେ । ଏକଥା ଜାଣିପାରି ଜୋନ୍ସ ତାଙ୍କ ଅନୁଗାମୀମାନଙ୍କୁ କହିଥିଲେ ଯେ, ‘ସରକାର ଆମ୍ଭମାନଙ୍କୁ ମାରିବାକୁ ଚାହୁଁଛନ୍ତି । ତେଣୁ ସରକାର ଆମ୍ଭମାନଙ୍କୁ ପଶୁପକ୍ଷୀଙ୍କ ପରି ବ୍ୟବହାର କରିବେ । ମହିଳାମାନଙ୍କୁ ଦୁଷ୍କର୍ମ କରିବା ସହ ଶିଶୁମାନଙ୍କୁ ନିର୍ଯାତନା ଦେବେ । ଏ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ସମସ୍ତେ ପବିତ୍ର ଜଳ ପାନ କରିବା ନିହାତି ଦରକାର ।’

ପୂର୍ବ ଯୋଜନା ଅନୁଯାୟୀ, ଜୋନ୍ସ ଏକ ବଡ଼ ଟବରେ ବିଷ ମିଶାଇ ପାନୀୟ ପ୍ରସ୍ତୁତ କରି ରଖିଥିଲେ । ଏହାପରେ ସମସ୍ତଙ୍କୁ ବିଷ ପାନୀୟ ଦିଆଯାଇଥିଲା । ଯିଏ ମନା କରିଥିଲା, ତାକୁ ଜବରଦସ୍ତ ପିଆଇ ଦିଆଯାଇଥିଲା । ଏହି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ୯୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ, ଯେଉଁଥିରେ ୩୦୦ରୁ ଅଧିକ ଶିଶୁ ସାମିଲ ଥିଲେ । ଏହି ଘଟଣାକୁ ଦୁନିଆର ସବୁଠାରୁ ବଡ଼ ନରସିଂହାର ଭାବେ ବିବେଚନା କରାଯାଇଥାଏ । ତେବେ ଲୋକମାନେ ମରିବା ପରେ ଜୋନ୍ସଙ୍କର ଶବ ମଧ୍ୟ ଏକ ସ୍ଥାନରୁ ମିଳିଥିଲା । ଜୋନ୍ସ ନିଜକୁ ନିଜେ କିମ୍ବା ଆଉ କାହା ଗୁଳିର ଶିକାର ହୋଇଥିଲେ ବୋଲି କୁହାଯାଇଥିଲା । ତେବେ ଗୋଟିଏ ଦିନରେ ଏକସଙ୍ଗେ ଶହ ଶହ ଲୋକ ଆତ୍ମହତ୍ୟା କରିଥିବା କଥା ଶୁଣିଲେ ଆଜିବି ଲୋମ ଭୟରେ ଟାଙ୍କୁରି ଉଠିଥାଏ ।

Get real time updates directly on you device, subscribe now.