fbpx

ASI ପାହ୍ୟାକୁ ପଦୋନ୍ନତି ପାଇଲେ ରାଜ୍ୟର ୯୪୪ ପୋଲିସ କନଷ୍ଟେବଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୯୪୪ ଜଣ ପୋଲିସ କନଷ୍ଟେବଳଙ୍କୁ ଏଏସଆଇ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଗତ ୨୦୨୦ରେ ପୋଲିସ କନଷ୍ଟେବଳରୁ ଏଏସଆଇ ପଦବୀକୁ ପଦୋନ୍ନତି ପରୀକ୍ଷା ହୋଇଥିଲା । ଏହି ସମସ୍ତ କନଷ୍ଟେବଳଙ୍କ ନାମ ଚୟନ ହୋଇଥିଲେ ହେଁ ସେମାନଙ୍କୁ ପଦୋନ୍ନତି ମିଳିନଥିଲା । ଫଳରେ ପଦୋନ୍ନତିରୁ ବଞ୍ଚିତ ଅଭିଯୋଗରେ କନଷ୍ଟେବଳମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ପରେ ହାଇକୋର୍ଟ ଏହି କନଷ୍ଟେବଳଙ୍କ ସପକ୍ଷରେ ରାୟ ଦେଇଥିଲେ । ଏବେ ଓଡ଼ିଶା ପୋଲିସ ଏମାନଙ୍କୁ ପଦୋନ୍ନତି ଦେଇଥିବା ଜଣାପଡ଼ିଛି । ଓଡ଼ିଶା ପୋଲିସ କନଷ୍ଟେବଳରୁ ଏଏସଆଇ ପଦବୀକୁ ପଦୋନ୍ନତି ପାଇଁ ଗତ ୨୦୨୦ ଡିସେମ୍ବର ମାସ ୬ରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପରେ ଡିସେମ୍ବର ୧୪ରେ ମେଧା ତାଲିକା ପ୍ରକାଶ ପାଇ ୨୨ରେ ସଂଶୋଧିତ ମେଧା ତାଲିକା ପ୍ରକାଶ ପାଇଥିଲା ।

ଉକ୍ତ ତାଲିକାରେ ଅସଂରକ୍ଷିତ ବର୍ଗର ୨୪୯୧ ଜଣ ଓ ସଂରକ୍ଷିତ ବର୍ଗର ୨୯୧ ଜଣ କନଷ୍ଟେବଳଙ୍କ ନାମ ସ୍ଥାନ ପାଇଥିଲା । ୨୦୨୦ ଡିସେମ୍ବର ୨୬ରେ ୯୨୫ ଜଣ କନଷ୍ଟେବଳଙ୍କୁ ଏଏସଆଇ ପଦୋନ୍ନତି ସମ୍ପର୍କିତ ତାଲିମ ପାଇଁ ପଠାଯାଇଥିଲା । ଉକ୍ତ ମେଧା ତାଲିକା ୨୦୨୦ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୈଧ ରହିବ ବୋଲି କୁହାଯାଇଥିଲା । ଏହା ଫଳରେ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଦେଢ଼ ହଜାରରୁ ଅଧିକ କନଷ୍ଟେବଳ ଏଏସଆଇ ପଦବୀକୁ ପଦୋନ୍ନତି ପାଇବାରୁ ବଞ୍ଚିତ ହୋଇଥିଲେ । ଏହାପରେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୨୧ ସେପ୍ଟେମ୍ବରରେ ହାଇକୋର୍ଟ ସେମାନଙ୍କ ସପକ୍ଷରେ ରାୟ ଦେଇଥିଲେ । ଗତ ୨୧ ତାରିଖରେ ରାଜ୍ୟ ପୋଲିସ ବିଭାଗ ଏହି କନଷ୍ଟେବଳଙ୍କୁ ପଦୋନ୍ନତି ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.