ନୂଆଦିଲ୍ଲୀ : ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳକୁ ଫେରିବା ପାଇଁ ନିଜର ଫିଟନେସ୍ ଉପରେ ଝାଳବୁହା ପରିଶ୍ରମ କରୁଛନ୍ତି। ସେ ଫିଟନେସ୍ ଉପରେ କାମ କରିବା ପାଇଁ ବିଜୟ ହଜାରେ ଟ୍ରଫି ମଧ୍ୟ ଖେଳି ନାହାନ୍ତି ପାଣ୍ଡ୍ୟା। ୨୦୧୯ରେ ପିଠିର ନିମ୍ନ ଭାଗରେ ଆଘାତ ଲାଗିବା ପରଠୁ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ନିମ୍ନଗାମୀ ହେବାରେ ଲାଗିଛି। ଏହି କାରଣରୁ ସେ ବୋଲି ମଧ୍ୟ କରି ପାରି ନାହାନ୍ତି। ଏ ପର୍ଯ୍ୟନ୍ତ ସେ ସଂପୂର୍ଣ୍ଣ ଫିଟ୍ ହାସଲ କରି ପାରି ନାହାନ୍ତି। ଏହି କାରଣରୁ ପାଣ୍ଡ୍ୟା ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ଓ ଟି-୨୦ ସିରିଜ୍ ଖେଳିବା ନେଇ ସନ୍ଦେହ ରହିଛି।
ଇନସାଇଡ ସ୍ପୋର୍ଟ୍ସ ରିପୋର୍ଟ ଅନୁଯାୟୀ, ବିସିସିଆଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ରେ ହାଜର ହେବାକୁ କହିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ତାରକା ଅଲରାଉଣ୍ଡରଙ୍କୁ ଦଳରେ ଚୟନ କରାଯିବା ପରିବର୍ତ୍ତେ ନୂତନ ବର୍ଷରେ ଏନସିଏରେ ବିଶେଷଜ୍ଞଙ୍କ ନିରୀକ୍ଷଣରେ ବୋଲିଂ ଫିଟନେସ୍ ଉପରେ କାମ କରିବେ। ଆଇପିଏଲ ୨୦୨୨ର ନିଲାମ ଜାନୁଆରୀରେ ହେବାକୁ ଯାଉଛି। ଏବେ ମଧୟ ପାଣ୍ଡ୍ୟାଙ୍କ ଫିଟନେସ୍ ଉପରେ ପ୍ରଶ୍ନ ଚିହ୍ନ ଲାଗି ରହିଛି।
ଭାରତ ଆସନ୍ତା ବର୍ଷ ଫେବୃଆରୀ ୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ନିଜ ମାଟିରେ ଓ୍ଵେଷ୍ଟଇଣ୍ଡିଜ ସହିତ ତିନୋଟି ଦିନିକିଆ ଓ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ଓ୍ଵେଷ୍ଟଇଣ୍ଡିଜ ସିରିଜ୍ ପରେ ଭାରତ ଘରୋଇ ମାଟିରେ ଫେବୃଆରୀ ୨୫ରୁ ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ ଏବଂ ତିନି ମ୍ୟାଚ୍ର ଟି-୨୦ ସିରିଜ୍ ଖେଳିବ। ହେଲେ ୨୮ ବର୍ଷୀୟ ଅଲରାଉଣ୍ଡର ହାର୍ଦ୍ଦିକଙ୍କ ଏହି ଦୁଇଟି ସିରିଜ୍ରେ ଖେଳିବାର ସମ୍ଭାବନା ବହୁତ କମ ରହିଛି। ବିସିସିଆଇ ଓ ଚୟନକର୍ତ୍ତା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି ଯେ, ତାଙ୍କ ପାଇଁ ଦଳକୁ ପ୍ରତ୍ୟାବର୍ତ୍ତନ କରିବାର ଏକ ମାତ୍ର ରାସ୍ତା ନିଜର ଫିଟନେସ୍ ଉପରେ କାମ କରିବାକୁ ପଡିବ ଏବଂ ଘରୋଇ କ୍ରିକେଟ୍ରେ ନିଜକୁ ସାବ୍ୟସ୍ତ କରିବାକୁ ପଡିବ।