ଲୁଧିଆନା କୋର୍ଟରେ କିପରି ହୋଇଥିଲା ବିସ୍ଫୋରଣ? ଫରେନ୍ସିକ୍ ରିପୋର୍ଟରୁ ହେଲା ଖୁଲାସା

ଚଣ୍ଡିଗଡ଼: ପଞ୍ଜାବ ଲୁଧିଆନା କୋର୍ଟ ପରିସରରେ ହୋଇଥିବା ବିସ୍ଫୋରଣ ମାମଲାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଫରେନ୍ସିକ୍ ରିପୋର୍ଟ ଆଧାରରେ ପଞ୍ଜାବ ପୋଲିସ କହିଛି କି, ଏହି ବିସ୍ଫୋରଣରେ ଆରଡିଏକ୍ସ ବ୍ୟବହାର ହୋଇଥିଲା । ପୋଲିସର କହିବା ମୁତାବକ, କୋର୍ଟ ପରିସରରେ ଯେଉଁ ବିସ୍ଫୋରଣ ହୋଇଥିବା ସେଥିରେ ଅଭିଯୁକ୍ତ ପ୍ରାୟ ୨ କିଲୋ ଆରଡିଏକ୍ସ ବ୍ୟବହାର କରିଥିଲା ।

ଏହା ସହ ପୋଲିସ କହିଛି ଯେ, ବିସ୍ଫୋରଣ କାରଣରୁ ପାଣି ପାଇପ୍ ଲାଇନ ବି ଫାଟିଯାଇଛି । ଏହି କାରଣ ଯୋଗୁଁ ଅଧିକ ମାତ୍ରାରେ ବିସ୍ଫୋଟକ ପଦାର୍ଥ ବୋହିଯାଇଛି । ଯେଉଁଦିନ ବିସ୍ଫୋରଣ ହୋଇଥିଲା, ସେଦିନ ଓକିଲମାନେ ଧର୍ମଘଟ କରିଥିଲେ,ନଚେତ୍ ଅଧିକ କ୍ଷତି ହୋଇଥାନ୍ତା । ଘଟଣାରେ ସାମିଲ ଥିବା ନିଲମ୍ବିତ ହେଡ଼ କନଷ୍ଟେବଳ ଗଗନଦୀପଙ୍କ ଘରେ ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା ଏନଆଇଏ ଟିମ୍ ।

ସୂଚନା ମୁତାବକ, ଗଗନଦୀପ ପଞ୍ଜାବ ପୋଲିସର ବହିଷ୍କୃତ ହେଡ଼ କନଷ୍ଟେବଳ ଥିଲେ । ସେ ପଞ୍ଜାବର ଖନ୍ନାରେ ରହୁଥିେଲେ ଓ ୨ ବର୍ଷ ଜେଲଦଣ୍ଡ ଶେଷ କରି ବାହାରକୁ ଆସିଥିଲେ । ତେବେ ଲୁଧିଆନା କୋର୍ଟରେ ଗୁରୁବାର ହୋଇଥିବା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ । ମୃତକ ଜଣକ ବୋମା ଲଗାଇଥିଲା ବୋଲି ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ।