ନୂଆବର୍ଷରେ ମାଡ଼ି ଆସିବ ଭୀଷଣ ବର୍ଷା ସହ ହାଡ଼ଭଙ୍ଗା ଶୀତ, ଆଇଏମଡି ଜାରି କଲେ ସତର୍କ ସୂଚନା

ନୂଆଦିଲ୍ଲୀ: ରାତି ପାହିଲେ ନୂଆବର୍ଷ । ତେବେ ନୂଆବର୍ଷର ଖୁସି ସହିତ ପାଣିପାଗରେ ମଧ୍ୟ ପରିବର୍ତ୍ତନ ହେବ । ନୂତନ ବର୍ଷର ପ୍ରାରମ୍ଭରେ ଶୀତର ପ୍ରକୋପ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ କିଛି ରାଜ୍ୟରେ ପ୍ରବଳ ବର୍ଷା ସହିତ ପ୍ରବଳ ଥଣ୍ଡା ହେବାର ସମ୍ଭାବନା ରହିଛି । ବିଭିନ୍ନ ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହେବ ବୋଲି ମଧ୍ୟ ସୂଚନା ରହିଛି ।

ପାଣିପାଗ ବିଭାଗର ଆକଳନ ମୁତାବକ, ସକ୍ରିୟ ରହିଥିବା ପଶ୍ଚିମୀ ବିଭ୍ରାଟର ପ୍ରଭାବ କାରଣରୁ ଜାନୁଆରୀ ୪ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଜାମ୍ମୁ ଓ ହିମାଚଳ ପ୍ର୍େରଦଶରେ ପ୍ରବଳ ବର୍ଷା ସହିତ ବରଫ ଖସିବ । ତେଣୁ ପର୍ଯ୍ୟଟକଙ୍କୁ ଏଥିପାଇଁ ସମସ୍ୟା ଭୋଗିବାକୁ ପଡ଼ିପାରେ । ସେହିପରି ୫ ତାରିଖରୁ ୭ ଜାନୁଆରୀ ପର୍ଯ୍ୟନ୍ତ ପଞ୍ଜାମ, ଚଣ୍ଡିଗଡ଼, ଦିଲ୍ଲୀ, ରାଜସ୍ଥାନ ଓ ପଶ୍ଚିମ ଉତ୍ତର ପ୍ରଦେଶର କିଛି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି ।