ଆଉ କେତେ ଦିନ ଏମିତି ଚାଲିବ ? ଗାଭାସ୍କର କହିଲେ- ରାହାଣେ ଓ ପୂଜାରାଙ୍କ ପାଖରେ ରହିଛି ମାତ୍ର ଗୋଟିଏ ଇନିଂସ

ଜୋହାନ୍ସବର୍ଗ: ବିଫଳ ପରେ ବିଫଳ। କାଳେ ଏ ଇନିଂସରେ ଫର୍ମକୁ ଫେରିବେ। ବଡ ଇନିଂସଟିଏ ଦେଖିବାକୁ ମିଳିବ। ବ୍ୟାଟ୍ରୁ ବଡ ସ୍କୋର ବାହାରିବ। ପ୍ରଶଂସକଙ୍କ ପରି ଦଳ ପ୍ରବନ୍ଧକ ଏବଂ ଚୟନକର୍ତ୍ତା ଏହି ଆଶାରେ ଦୁଇ ବରିଷ୍ଠ ଟେଷ୍ଟ ବ୍ୟାଟସମ୍ୟାନ ଚେତେଶ୍ଵର ପୂଜାରା ଓ ଆଜିଙ୍କ୍ୟ ରାହାଣେଙ୍କୁ ବାରମ୍ବାର ଦଳ ସହ ଚୂଡାନ୍ତ ଏକାଦଶରେ ସୁଯୋଗ ଦେଇ ଆସିଛନ୍ତି। କିନ୍ତୁ ଦୁଇ ଖେଳାଳିଙ୍କ ପ୍ରଦର୍ଶନରେ ସେମିତି କୌଣସି ଉନ୍ନତି ଦେଖିବାକୁ ମିଳିନାହିଁ।

ପୁଣି ଥରେ ଦୁଇ ବ୍ୟାଟସମ୍ୟାନ ଜୋହାନ୍ସବର୍ଗରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟରେ ଦଳକୁ ନିରାଶ କରିଛନ୍ତି। ପୂଜାରା(୩) ପାଭିଲିୟନ ଫେରିଥିବା ବେଳେ ରାହାଣେ ଖାତା ମଧ୍ୟ ଖୋଲି ପାରି ନାହାନ୍ତି। ଦୁଇ ଖେଳାଳିଙ୍କ ପ୍ରଦର୍ଶନ ଦେଖି ପ୍ରଶଂସକଙ୍କ ସହିତ ପୂର୍ବତନ ଖେଳାଳି ମଧ୍ୟ କହିବା ଆରମ୍ଭ କରି ଦେଲେଣି ଯେ, ରାହାଣେ ଏବଂ ପୂଜାରାଙ୍କ କ୍ୟାରିୟର ଏବେ ଦୋଛକିରେ ରହିଛି। କ୍ୟାରିୟର ଉପରେ ବିପଦ ଦେଖା ଦେଇଛି। ଏହି କ୍ରମରେ ପୂର୍ବତନ ମହାନ ଭାରତୀୟ ବ୍ୟାଟସମ୍ୟାନ ସୁନିଲ ଗାଭାସ୍କର ମଧ୍ୟ ଦୁଇ ଖେଳାଳିଙ୍କ ପ୍ରଦର୍ଶନରେ ନିରାଶ ବ୍ୟକ୍ତ କରିଛନ୍ତି। ପୂଜାରା ଏବଂ ରାହାଣେଙ୍କ ନିକଟରେ ନିଜ କ୍ୟାରିୟର ବଞ୍ଚାଇବା ପାଇଁ କେବଳ ଗୋଟିଏ ଇନିଂସ ବାକି ରହିଛି।

ଆଜି ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଭାରତୀୟ ଦଳର ଅଧିନାୟକ ଦାୟିତ୍ଵ ସମ୍ଭାଳିଥିବା କେଏଲ ରାହୁଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୩୬ ରନ ସ୍କୋରରେ ମୟଙ୍କ ଅଗ୍ରଓ୍ଵାଲ(୨୬)ଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ କ୍ରିଜକୁ ଆସିଥିଲେ ଚେତେଶ୍ଵର ପୂଜାରା। ତେବେ ସେ ନିଜର ଖରାପ ଫର୍ମ ବଜାୟ ରଖି ମାତ୍ର ୩ ରନ କରି ବିଦାୟ ନେଇଥିଲେ। ଏହା ପରେ ପାଳି ପଡିଲା ଆଜିଙ୍କ୍ୟ ରାହାଣେଙ୍କର। ଭଲ ଇନିଂସ ଖେଳିବା ପାଇଁ ସୁବର୍ଣ୍ଣ ସୁଯୋଗ ମଧ୍ୟ ରହିଥିଲା। ହେଲେ ସେ ଆହୁରି ଦୟନୀୟ ବ୍ୟାଟିଂ କରି ପ୍ରଥମ ବଲ୍ରେ ହିଁ କ୍ୟାଚ୍ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ।

ଏ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଗସ୍ତରେ, ଚେତେଶ୍ଵର ପୂଜାରା- ୦, ୧୬, ୩
ଆଜିଙ୍କ୍ୟ ରାହାଣେ- ୪୮, ୨୦, ୦

ଚେତେଶ୍ଵର ପୂଜାରାଙ୍କ ଖରାପ ଫର୍ମ ଏମିତି ଜାରି ରହିଛି ଯେ, ୨୦୨୦ ଆରମ୍ଭ ପରଠୁ ସେ ୧୯ଟି ଟେଷ୍ଟରେ ୨୫ ହାରରେ ରନ କରିଛନ୍ତି। ମୋଟ୍ ୩୫ଟି ଇନିଂସରୁ ୧୨ଟି ପାଳିରେ ପୂଜାରା ଦୁଇ ଅଙ୍କ ମଧ୍ୟ ଛୁଇଁ ପାରି ନାହାନ୍ତି। ଏହି ମାମଲାରେ ଆଜିଙ୍କ୍ୟ ରାହାଣେଙ୍କ ଫର୍ମ ମଧ୍ୟ ଆହୁରି ଖରାପ। ସେ ୧୮ଟି ମ୍ୟାଚ୍ରେ ୩୨ଟି ଇନିଂସରୁ ୨୪ ହାରରେ ୭୫୧ ରନ କରିଛନ୍ତି।