fbpx

“ନିଭର‌୍ୟା କଢି’ ଯୋଜନା ସଫଳ , ବାଲ୍ୟ ବିବାହ ମୁକ୍ତ ହେଲା ଗଞ୍ଜାମ: ସୂଚନା ଦେଲେ ଜିଲ୍ଲାପାଳ

ଛତ୍ରପୁର (ଭାସ୍କର ନ୍ୟୁଜ୍‌): ଗଞ୍ଜାମ ଜିଲ୍ଲାକୁ ବାଲ୍ୟ ବିବାହମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏଥିପାଇଁ କାର୍ଯ୍ୟ କରିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଓ ସେ ଧନ୍ୟବାଦ ଜଣାଇଛନ୍ତି । ଗଞ୍ଜାମ ଜିଲ୍ଲାରେ “ନିଭର‌୍ୟା କଢି’ ଯୋଜନାର କାର୍ଯ୍ୟକାରିତା ପରେ ତଳ ସ୍ତରରୁ କମିଟି ଗଠନ କରାଯାଇ ଏହି ଯୋଜନାର ସଫଳ ରୂପାୟନ ଦିଗରେ ବ୍ୟାପକ ସଚେତନତା ମୂଳକ ପଦକ୍ଷେପ ସହିତ ବାଲ୍ୟ ବିବାହକୁ ରୋକିବା ନେଇ ଅନେକଗୁଡିଏ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗ୍ରାମ ପଞ୍ଚାୟତ ଏବଂ ବିଜ୍ଞାପିତ ଅଞ୍ଚଳ ସ୍ତରରେ ସରପଞ୍ଚଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଙ୍ଗନବାଡିକର୍ମୀ, ଆଶାକର୍ମୀ ଏବଂ ସହାୟିକା ମାନଙ୍କୁ ନେଇ କମିଟି ଗଠନ କରାଯାଇଥିଲା ।

ସେହି କମିଟିର ସର୍ଭେ ରିପୋଟର୍କୁ ଆଧାରକରି ବ୍ଲକ ସ୍ତରରେ ପୁନଃ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ଶିଶୁ ବିକାଶ ଯୋଜନା ଅଧିକାରୀ ଏବଂ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ଏହାର ପ୍ରକୃତ ସତ୍ୟା ସତ୍ୟ ଯାଞ୍ଚ କରିବା ସହିତ ଅନୁସନ୍ଧାନ ରିପାର୍ଟ ଜିଲ୍ଲା ସ୍ତରରେ ସମ୍ପୃକ୍ତ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରିବା ସକାଶେ ଉପସ୍ଥାପନ କରିଥିଲେ । ଗତ ଦୁଇ ବର୍ଷ ମଧ୍ୟରେ ବିଭିନ୍ନ ସ୍ତରରେ ୧୪,୪୨୨ ଗୋଟି ବୈଠକ ହୋଇଛି ଓ ନିଭର‌୍ୟା କଢି ଯୋଜନା କାର୍ଯ୍ୟକାରୀ ପରେ ୨୦୧୯ ମସିହାରେ ୪୫ ଗୋଟି,୨ ୦୨୦ରେ ୨୨୮ ଗୋଟି ଏବଂ ୨୦୨୧ରେ ୨୦୧ ଗୋଟି ବାଲ୍ୟ ବିବାହକୁ ରୋକା ଯାଇପାରିଥିଲା । ବତ୍ତର୍ମାନ ଗଞ୍ଜାମ ଜିଲ୍ଲାରେ ୩୩୦୯ ଗୋଟି ଶିଶୁ ବିବାହ ମୁକ୍ତ ଗ୍ରାମ, ସହରାଞ୍ଚଳର ୨୮୦ ଗୋଟି ଶିଶୁ ବିବାହ ମୁକ୍ତ ୱାର୍ଡ ଏବଂ ୫୦୩ ଗୋଟି ଶିଶୁ ବିବାହ ମୁକ୍ତ ଗ୍ରାମପଞ୍ଚାୟତ ଭାବେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଘୋଷଣା କରିଛନ୍ତି ।

 

ଆଗାମୀ ଦିନରେ ଝିଅମାନଙ୍କୁ ବୃତ୍ତିଗତ ପରାମର୍ଶ ଦିଆଯିବ ଓ ଆଜିର ଏହି ବାଲ୍ୟ ବିବାହ ମୁକ୍ତ ଘୋଷଣା ସମୟରେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍‌, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଅତରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ଅଧିକାରୀ, ଜିଲ୍ଲା ଶିଶୁ ବିକାଶ ଅଧିକାରୀ ସୁବୋଧ କୁମାର ଷଢଙ୍ଗୀ, ଆକ୍ସନ ଏଡ଼ର ଜ଼ିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.