fbpx

ଉଦ୍ଧବ ଠାକରେଙ୍କ ପତ୍ନୀଙ୍କୁ ‘ମରାଠି ରାବଡି ଦେବୀ’ କହିଲେ ବିଜେପି ନେତା, ଚାଲିଛି ଜେରା

ମୁମ୍ବାଇ : ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମି ଠାକରେଙ୍କୁ ମରାଠି ରାବଡି ଦେବୀ କହିବା ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ ମହଙ୍ଗା ପଡିଛି। ବିଜେପି ସୋସିଆଲ ମିଡିଆ ସେଲ୍ର ଜିତେନ ଗଜାରିଆ ଟ୍ଵିଟରରେ ଏହି ମନ୍ତବ୍ୟ ଦେଇଥିଲେ। ଯାହା ପରେ ମୁମ୍ବାଇ ପୋଲିସର ଅପରାଧ ଶାଖାର ସାଇବର ସେଲ୍ ତାଙ୍କୁ ଅଟକ ରଖି ପଚରା ଉଚୁରା କରୁଛି।
ନିକଟ ଦିନରେ ବେକ ଏବଂ ପିଠିରେ ସର୍ଜରୀ କାରଣରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅନେକ ଦିନ ହେବ ସକ୍ରିୟ ନଥିଲେ। ବିଧାନସଭାର ଶୀତକାଳୀନ ଅଧିବେଶନରେ ମଧ୍ୟ ଭାଗ ନେଇନଥିଲେ। ଏହା ପରେ ରାଜନୈତିକ ମହଲରେ ଏହି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ଯେ, ରଶ୍ମି ଠାକୁରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ। ଏହି ସଂଦର୍ଭରେ ଜାନୁଆରୀ ୪ରେ ଜିତେନ ଗଜାରିଆ ରଶ୍ମି ଠାକୁରଙ୍କ ଏକ ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର କରି ଲେଖିଥିଲେ, ‘ମରାଠି ରାବଡି ଦେବୀ’।
ମୁମ୍ବାଇ ପୋଲିସ ଅନୁଯାୟୀ, ଜିତେନ ଗଜାରିଆଙ୍କ ଏହି ଟ୍ଵିଟ୍ ତଦନ୍ତ ପରିସରଭୁକ୍ତ ରହିଛି। ଜିତେନଙ୍କ ଓକିଲ ତଥା ବିଜେପି ସଂପାଦକ ବିବେକାନନ୍ଦ ଗୁପ୍ତା କହିଛନ୍ତି, ସାଇବର ପୋଲିସ୍ ବିନା କାରଣରେ ଏବଂ ଅଭିଯୋଗକାରୀ କିଏ କିଛି ସୂଚନା ନଦେଇ ଥାନାରେ ହାଜର ହେବାକୁ ନୋଟିସ୍ ଜାରି କରିଥିଲେ। ଏହା ପରେ ମୋର ମହକିଲ ନିର୍ଦ୍ଦେଶ ଅନୁସାରେ, ନିଜେ ପୋଲିସ ସାମ୍ନାରେ ହାଜର ହୋଇଛନ୍ତି। ଗୋଟିଏ ଘଣ୍ଟାରୁ ଅଧିକ ସମୟ ହେବ ତାଙ୍କୁ ଜେରା କରାଯାଉଛି। କିନ୍ତୁ ମାମଲାରେ ଅଦ୍ୟାବଧି ଏଫଆଇଆର ରୁଜୁ ହୋଇ ନାହିଁ।

Get real time updates directly on you device, subscribe now.