fbpx

ପଞ୍ଚାୟତ ନିର୍ବାଚନର ବିଜେତାଙ୍କୁ ବାଛିବ ସୋସିଆଲ ମିଡ଼ିଆ, କୋଭିଡ ପାଇଁ ବଦଳିବ ରଣନୀତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବାଜି ସାରିଛି ପଞ୍ଚାୟତ ନିର୍ବାଚନର ବିଗୁଲ୍ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ପଦବୀ ପାଇଁ ଉପଯୁକ୍ତ ପ୍ରାର୍ଥୀଙ୍କୁ ବାଛିବେ ଭୋଟର । ଆସନ୍ତା ୧୭ରୁ ୨୧ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହେବାକୁ ଥିବା ବେଳେ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି । କାରଣ ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଏହାକୁ ପ୍ରତ୍ୟେକ ରାଜନୈତିକ ଦଳ ସେମିଫାଇନାଲ ଭାବେ ଗ୍ରହଣ କରୁଛନ୍ତି । ତେଣୁ ସମସ୍ତଙ୍କର ଗୋଟିଏ ସମସ୍ୟା ହେଉଛି କୋଭିଡ୍ । ରାଜ୍ୟରେ କୋଭିଡ୍ ସଂକ୍ରମଣ ମାଡ଼ି ଚାଲିଥିବାରୁ ସର୍ବାଧିକ ୫ ଜଣଙ୍କୁ ନେଇ ପ୍ରଚାର କରିବାକୁ ନିର୍ବାଚନ କମିଶନ ଅନୁମତି ଦେଇଛନ୍ତି ।

ଏଭଳି ସ୍ଥିତିରେ ସମାନ ସମସ୍ୟାରେ ଜର୍ଜରିତ ହେଉଛନ୍ତି ବିଜେଡି, ବିଜେପି ଓ କଂଗ୍ରେସର ନେତାମାନେ । କେମିତି ପ୍ରଚାର କରିବେ ତାହାକୁ ନେଇ ନେତାମାନଙ୍କୁ ଆଉ ରାତିରେ ନିଦ ନାହିଁ । ଘରେ ବସି କେମିତି ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବେ ସେଥିନେଇ ପ୍ରସ୍ତୁତି ଚାଲିଛି ରଣନୀତି । ତେବେ ମୋବାଇଲ ସେସେଜ, ଭିଡିଓ କଲ, ହ୍ୱାଟସଆପ, ଫେସବୁକ, ଟ୍ୱିଟର, ଇନଷ୍ଟାଗ୍ରାମ ପରି ସୋସିଆଲ ମିଡ଼ିଆ ବର୍ତ୍ତମାନ ସମସ୍ତଙ୍କର ଏକମାତ୍ର ଭରସା । ପୂର୍ବରୁ ସମସ୍ତ ଦଳମାନଙ୍କର ସୋସିଆଲ ମିଡ଼ିଆରେ ଫଲୋଅର ଯେତିକି ଆକ୍ଟିଭ ରହିଥିଲେ ତାହାକୁ ବର୍ତ୍ତମାନ ବଢ଼ାଇବାକୁ ପୂରା ଦମରେ ଲାଗିପଡ଼ିଛନ୍ତି ସମସ୍ତ ଦଳ ।

ସବୁ ନେତାମାନେ ନିଜ ଫେସବୁକ ପେଜରେ ଫଟୋ, ଭିଡିଓ, ନିର୍ବାଚନୀ ପ୍ରତିଶ୍ରୁତି ଏବେଠାରୁ ଶେୟାର କରିବା ଆରମ୍ଭ କରିଦେଲେଣି । ଡିଜିଟାଲ ମାଧ୍ୟମରେ କିପରି ସମସ୍ତଙ୍କ ପାଖରେ ପହଞ୍ଚି ହେବ, ସେଥିପାଇଁ ନୂଆ ନୂଆ ତରିକା ଆପଣାଇବାକୁ ଚିନ୍ତା କରୁଛନ୍ତି ନେତାମାନେ । ତୃଣମୂଳ ସ୍ତରରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ନିଜ ଦଳର ସୁଗୁଣାବଳୀର ଏକ ଲିଷ୍ଟ ପ୍ରସ୍ତୁତ କରି ନେତାମାନେ ତାହାକୁ ଭୋଟରଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରିବେ । ତେବେ ସେ ଯାହା ବି ହେଉ, କୋଭିଡ୍ ଗାଇଡଲାଇନ ଲାଗୁ ହୋଇଥିବାରୁ ଡିଜିଟାଲ ମିଡ଼ିଆ ବର୍ତ୍ତମାନ ରାଜ୍ୟର ଉପଯୁକ୍ତ ନେତାମାନଙ୍କୁ ଚୟନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ଏଥିରେ ଦ୍ୱିମତ ନାହିଁ ।

Get real time updates directly on you device, subscribe now.