fbpx

(See Video) ଭଦ୍ରକର ବହୁଚର୍ଚ୍ଚିତ ଅଭିଷେକଙ୍କ ମୃତ୍ୟୁ ଘଟଣା: ବଳକା ୪୦ ଲକ୍ଷ ଦାନ କଲେ ପତ୍ନୀ ମୌସୁମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭଦ୍ରକ ଜିଲ୍ଲା ବାସୁଦେବପୁରର ଅଭିଷେକ ମହାପାତ୍ର ଦୀର୍ଘଦିନର ଏକକୋ ଚିକିତ୍ସା ପରେ ଗତବର୍ଷ ସେପ୍ଟେମ୍ବର ୪ ତାରିଖରେ ପ୍ରାଣ ହରାଇଥିଲେ । କୋଭିଡ୍ ସମୟରେ ଅଭିଷେକଙ୍କୁ ନେଇ ସେ ସମୟରେ ସାରା ରାଜ୍ୟରେ ଖୁବ୍ ଚର୍ଚ୍ଚା ହୋଇଥିଲା । କୋଲକାତାରେ ଏକମୋ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଅର୍ଥର ଆବଶ୍ୟକତା ଥିବାରୁ ଅଭିଷେକଙ୍କ ପତ୍ନୀ ମୌସୁମୀ ରାଜ୍ୟବାସୀଙ୍କ ନିକଟରେ ଆକୁଳ ନିବେଦନ କରିଥିଲେ । ତେବେ ରାଜ୍ୟବାସୀ ମଧ୍ୟ ଅଭିଷେକଙ୍କ ଚିକିତ୍ସା ନିମନ୍ତେ ସହାୟତାର ହାତ ବଢ଼ାଇଥିଲେ । ମାତ୍ର ଚିକିତ୍ସା ନିମନ୍ତେ ଅର୍ଥ ଯୋଗାଡ଼ ହେବା ପରେ ଶେଷରେ ଅଭିଷେକ ଆଖି ବୁଜିଥିଲେ ।

ତେବେ ଆଜି ଅଭିଷେକଙ୍କ ପତ୍ନୀ ମୌସୁମୀ ବଳକା ଅର୍ଥ ୪୦ ଲକ୍ଷ ଦାନ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩୦ ଲକ୍ଷ ଓ ରେଡକ୍ରସ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏହି ଅର୍ଥ ଅନ୍ୟ କୌଣସି ଗରିବ ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇପାରିବ ବୋଲି ମୌସୁମୀ ଅନୁଭବ କରିପାରିଛନ୍ତି । ସୂଚନାଯୋଗ୍ୟ ଯେ, ବିବାହର ମାତ୍ର କେଇଟା ଦିନ ପରେ ଅଭିଷେକ କୋଭିଡରେ ଗୁରୁତର ଭାବେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ଚିକିତ୍ସା ପାଇଁ ୧ କୋଟିରୁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ତାଙ୍କର ପତ୍ନୀ ରାଜ୍ୟବାସୀଙ୍କ ନିକଟରେ ଗୁହାରି କରିଥିଲେ । ରାଜ୍ୟବାସୀ ମଧ୍ୟ ମୌସୁମୀଙ୍କୁ ଅକୁଣ୍ଠ ଚିତ୍ତରେ ସହାୟତାର ହାତ ବଢ଼ାଇଥିଲେ ହେଁ ତାଙ୍କର ସିନ୍ଦୁର ଲିଭି ଯାଇଥିଲା । କରୋନା ପାଇଁ କେତେ ଯେ ପରିବାର ସର୍ବସ୍ୱାନ୍ତ ହୋଇଛି, କେତେ ଯେ ନାରୀଙ୍କ ସିନ୍ଦୁର ଲିଭିଛି, କେତେ ଯେ ଶିଶୁ ଅନାଥ ହୋଇଛନ୍ତି ତାହାର ହିସାବ ରଖିବା ବାସ୍ତବ ହୃଦୟ ବିଦାରକ ।

Get real time updates directly on you device, subscribe now.