fbpx

ମଦ ପିଇବାକୁ ଶାଶୁଙ୍କୁ ବାରମ୍ବାର ଟଙ୍କା ମାଗୁଥିଲା ଜ୍ୱାଇଁ, ନଦେବାରୁ ଘରେ ଲଗାଇଦେଲା ନିଆଁ: ଜଳିପୋଡ଼ି ୨ ବଖରା ଓ ଲକ୍ଷାଧିକ ଟଙ୍କା ପାଉଁଶ

ନିଶ୍ଚିନ୍ତକୋଇଲି (ଭାସ୍କର ନ୍ୟୁଜ୍‌): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଉମର ଗ୍ରାମପଞ୍ଚାୟତ ପୁରୁଣା ମଠ(ଓସ୍ତପୁର) ଗ୍ରାମରେ ଜଣେ ଜ୍ୱାଇଁର ଉନ୍ମତ କାଣ୍ଡ ଦେଖିବାକୁ ମିଳିଛି । ସମ୍ପୃକ୍ତ ଜ୍ୱାଇଁ ଅତ୍ୟନ୍ତ ଅମାନବିକ ଭାବେ ଶ୍ୱଶୁର ଘରେ ନିଆଁ ଲଗାଇ ଦେବା ଯୋଗୁ ୨ ବଖରା ଗୃହ ସମେତ ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତି ଭସ୍ମୀଭୂତ ହୋଇଛି । ଘରର ୩ ପ୍ରାଣୀ ଅଳ୍ପକେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତି ଯାଇଛନ୍ତି ।

ଓସ୍ତପୁର ଗ୍ରାମର ସ୍ୱାର୍ଗତ ଚୁଟିଆ ଦାସ ତାଙ୍କର କନ୍ୟାକୁ ନିଶ୍ଚିନ୍ତକୋଇଲି ବ୍ଳକ ରାମକୃଷ୍ଣପୁର ଗ୍ରାମରେ ବିବାହ ଦେଇଥିଲେ । ଚୁଟିଆଙ୍କ ମୃତ୍ୟୁପରେ ତାଙ୍କ ଘରେ ଝିଅ ଓ ଜ୍ୱାଇଁ ଗତ କିଛି ଦିନ ହେଲା ରହି ଆସୁଥିଲେ । ତେବେ ଜ୍ୱାଇଁଙ୍କ ଘର ଶ୍ୱଶୁର ଘରଠାରୁ ମାତ୍ର ଅଳ୍ପବାଟ ହୋଇଥିବାରୁ ଜ୍ୱାଇଁ ମଝିରେ ମଝିରେ ଶ୍ୱଶୁର ଘରକୁ ଯାଆସ କରିଥାନ୍ତି । ତେବେ ଗତ କିଛି ଦିନ ହେଲା ଜ୍ୱାଇଁ ମଦ୍ୟପାନ କରିବା ନିମନ୍ତେ ବୃଦ୍ଧା ଶାଶୁଙ୍କୁ ବାରମ୍ବାର ଟଙ୍କା ମାଗୁଥିଲେ । କିନ୍ତୁ ଶାଶୁ ତାଙ୍କୁ ମଦ ପିଇବା ପାଇଁ ଟଙ୍କା ଦେଇପାରିବେ ନାହିଁ ବୋଲି ମନାକରିଦେଇଥିଲେ । ଏପରିକି ଜମି ବିକି ତାଙ୍କୁ ଟଙ୍କା ଦେବା ନିମନ୍ତେ ଜ୍ୱାଇଁ ଶାଶୁଙ୍କ ଉପରେ ଚାପ ପକାଇଥିଲେ । ଟଙ୍କା ନ ଦେଲେ ତାଙ୍କ ଘରକୁ ପୋଡିଦେବେ ଓ ବଂଶକୁ ନିପାତ କରିଦେବେ ବୋଲି ଜ୍ୱାଇଁ ବାରମ୍ବାର ଧମକ ଦେଇ ଆସୁଥିଲେ ।

ଗତ କାଲି ରାତ୍ରରେ ଜ୍ୱାଇଁ ଶ୍ୱଶୁର ଘରକୁ ଆସି ରହିଥିଲେ । ମାଆ ଝିଅ ଓ ତାଙ୍କର ଜଣେ ଶିଶୁ ସନ୍ତାନ ଶୋଇଥିଲା ବେଳେ ରାତ୍ରର ବିଳମ୍ବିତ ପ୍ରହରରେ ଜ୍ୱାଇଁ ଘରେ ନିଆଁ ଲଗାଇ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକେ ନିଆଁ ଜଳୁଥିବାର ଦେଖି ଘର ମଧ୍ୟରୁ ୩ ପ୍ରାଣୀକୁ ଉଦ୍ଧାର କରିଥିଲେ । ଖବର ପାଇ ନିଶ୍ଚିନ୍ତକୋଇଲି ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ୨ ବଖରା ଗୃହ ସମେତ ଘରର ସମସ୍ତ ଧାନ ଚାଉଳ, ଆସବାପତ୍ର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଥିଲ । ତେବେ ଏହି ଘଟଣାଟି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଥିଲା ବେଳେ ମଦ୍ୟପ ଜ୍ୱାଇଁର ଏତାଦୃଶ୍ୟ କାର୍ଯ୍ୟକୁ ସାଧାରଣରେ ନାପସନ୍ତ କରାଯାଇଥିଲା । ସେହିରି ଭାବେ ଆଜି ସନ୍ଧ୍ୟାରେ ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ଗ୍ରାମର ରବିନ୍ଦ୍ର ମଲିକଙ୍କ ଘରେ ନିଆଁ ଲାଗି ଯାଇଥିଲା । ତେବେ ବାପ ପୁଅ ଙ୍କ ମଧ୍ୟରେ କଳି ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବାର ଅଭିଯୋଗ ହୋଇଛି । ନିଶ୍ଚିନ୍ତକୋଇଲି ଦମକଳ ବାହିନୀର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ଏଥିରେ ୧ ବଖରା ଗୃହ ସମେତ ବହୁ ଆସବାପତ୍ର ପୋଡି ଯାଇଥିବାର ଜଣାଯାଇଛି ।

Get real time updates directly on you device, subscribe now.