fbpx

ଯାଞ୍ଚ ହେବ ସମସ୍ତ କଲେଜ ଛାତ୍ରଛାତ୍ରୀଙ୍କର ସାର୍ଟିଫିକେଟ, ଉଚ୍ଚଶିକ୍ଷା ବିଭାଗ ଗଠନ କଲା ଟିମ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଫେକ୍ ସାର୍ଟିଫିକେଟରେ ଯିଏ ନାମ ଲେଖାଇବ, ଧରାପଡ଼ିଲେ ଜେଲ୍ ଯିବ । ନିକଟରେ କିଛି ଶିକ୍ଷାର୍ଥୀ ସମ୍ପୂର୍ଣ୍ଣ ଫିଟ୍ ଥାଇ ନିଜକୁ ଦିବ୍ୟାଙ୍ଗ ବୋଲି ଦର୍ଶାଇଥିଲେ । କାହାର ହାତ, କାହାର ଗୋଡ଼, କାହାର ଆଖି ଆଉ କାହାର କାନ ଖରାପ୍ ଥିବା ଦର୍ଶାଇ ଫେକ୍ ସାର୍ଟିଫିକେଟ୍ ହାତେଇଥିଲେ । ଫଳରେ ଏପରି ଠକମାନେ ନକଲି ସାର୍ଟିଫିକେଟ ଦେଖାଇ କଲେଜରେ ସହଜରେ ନାମ ଲେଖାଇବାରେ ସକ୍ଷମ ହୋଇଥିଲେ । ଏମାନଙ୍କର ୪୦ ପ୍ରତିଶତ ମାର୍କ ରହିଥିଲେ ହେଁ ଆଡମିଶନ କରିପାରିଥିଲେ । ଅନ୍ୟପକ୍ଷରେ ୮୦ ପ୍ରତିଶତ ମାର୍କ ରଖି ମଧ୍ୟ ଅନେକ ପିଲା ସିଟ୍ ପାଇବାରୁ ବଞ୍ଚିତ ହୋଇଥିଲେ ।

ତେବେ ନିକଟରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାଲ୍ ସାର୍ଟିଫିକେଟରେ ନାମଲେଖା ଘଟଣା ସାମ୍ନାକୁ ଆସିଥିଲା । ଏହା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପେଶାଲ ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଏନେଇ ବିଭାଗୀୟ ସଚିବ ଶାଶ୍ୱତ ମିଶ୍ର କହିଛନ୍ତି ଯେ, ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀ ଛାତ୍ରଛାତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ସେଲ୍ଫ ଫାଇନାନ୍ସିଂ କଲେଜରେ ପଢ଼ୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି ।

ଭଦ୍ରକ ଛଡ଼ା ରାଜ୍ୟର ଅନ୍ୟ କଲେଜଗୁଡ଼ିକରେ ମଧ୍ୟ ଏହି କାରନାମା ଚାଲିଥାଇପାରେ । ତେଣୁ ସିଡିଏମଓଙ୍କ ଦ୍ୱାରା ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ଶିକ୍ଷାବର୍ଷରେ ନାମଲେଖାଇଥିବା ପିଲାମାନଙ୍କର ପ୍ରମାଣପତ୍ର ଯାଞ୍ଚ ହେବ । ଯେଉଁମାନେ ଧରାପଡ଼ିବେ, ସେମାନଙ୍କ ବିରୋଧରେ ଏତଲା ଦାୟର କରିବାକୁ କଲେଜ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ଭଦ୍ରକ ସ୍ୱୟଂଶାସିତ କଲେଜରେ ଫେକ୍ ସାର୍ଟିଫିକେଟରେ ନାମଲେଖା ଘଟଣାର ପର୍ଦ୍ଦାଫାସ ହେବା ପରେ କିଛି ଛାତ୍ର ସଂଗଠନ ରାଜରାସ୍ତାକୁ ଓହ୍ଲାଇବା ସହ ତଦନ୍ତ ଦାବି କରିଥିଲେ ।

Get real time updates directly on you device, subscribe now.