ଚହଲ ଭାଗ୍ୟଶାଳୀ, ସେ ଆଜି ଦଳରେ ଅଛନ୍ତି, ହେଲେ ଏହି ଖେଳାଳିଙ୍କୁ ସୁଯୋଗ ମିଳିବା ଉଚିତ୍:  ଦିନେଶ କାର୍ତ୍ତିକ 

ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍ରେ ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ସ୍ଥାନ ମିଳିଛି। ଚହଲ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ରେ ଖାସ୍ ପ୍ରଦର୍ଶନ କରି ପାରିନଥିଲେ। ଏହା ସତ୍ତ୍ଵେ ବି ଚୟନକର୍ତ୍ତା ତାଙ୍କ ଉପରେ ଭରସା ପ୍ରକଟ୍ କରିଛନ୍ତି। ଚହଲଙ୍କ ଚୟନକୁ ନେଇ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଦିନେଶ କାର୍ତ୍ତିକ ବହୁତ ବଡ ବୟାନ ଦେଇଛନ୍ତି।
ଦିନେଶ କାର୍ତ୍ତିକ କହିଛନ୍ତି, ୟୁଜବେନ୍ଦ୍ର ବହୁତ ଭାଗ୍ୟଶାଳୀ। ତେଣୁ ସେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। କାରଣ ତାଙ୍କୁ ହଟାଇବା ପାଇଁ କୌଣସି ଦାବିଦାର ନାହାନ୍ତି। ସାଥୀ ବୋଲରଙ୍କଠୁ ମଧ୍ୟ ଚ୍ୟାଲେଞ୍ଜ ମିଳୁନାହିଁ। ଉଲ୍ଲେଖନୀୟ ୟୁଜବେନ୍ଦ୍ର ଚହଲଙ୍କୁ ୨୦୨୧ ଟି-୨୦ ବିଶ୍ଵ କପ୍ରେ ଭାରତୀୟ ଦଳରୁ ବାଦ୍ ଦିଆଯାଇଥିଲା। ମାତ୍ର ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ଦଳରେ ସାମିଲ୍ କରାଗଲା। ଚହଲ ଅନେକ  ବର୍ଷ ଧରି ସୀମିତ ଓଭର କ୍ରିକେଟ୍ରେ ଭାରତୀୟ ଦଳର ନିୟମିତ ସଦସ୍ୟ ଅଛନ୍ତି। ଦଳରେ ସେ ରହିବାର ଅର୍ଥ ପ୍ରତିଟି ମ୍ୟାଚ୍ରେ ତାଙ୍କ ନାମରେ ଅତିକ କମରେ ଗୋଟିଏ କି ଦୁଇଟି ଓ୍ଵିକେଟ୍ ରହୁଥିଲା। ଟି-୨୦ ବିଶ୍ଵ କପ୍ ଦଳରୁ ତାଙ୍କୁ ବାଦ୍ ଦେବା ବିବାଦୀୟ ପ୍ରସଙ୍ଗ ପାଲଟିଥିଲା। କିନ୍ତୁ ଏବେ ଚହଲ ଫର୍ମରେ ନାହାନ୍ତି। ତାଙ୍କ ପ୍ରଦର୍ଶନରେ ମଧ୍ୟ ନିମ୍ନଗାମୀ ଦେଖିବାକୁ ମିଳିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ନିକଟ ସିରିଜ୍ ଏହାର ପ୍ରମାଣ। ତିନି ମ୍ୟାଚ୍ର ଦିନିକିଆ ସିରିଜ୍ରେ ତାଙ୍କୁ କେବଳ ଦୁଇଟି ଓ୍ଵିକେଟ୍ ମିଳିଛି।
୩୬ ବର୍ଷୀୟ କାର୍ତ୍ତିକଙ୍କ ମତରେ ଚହଲଙ୍କ ବିକଳ୍ପ ଭାବେ ଭାରତ ପାଖରେ ରବି ବିଶ୍ନୋଇ ଏବଂ ରାହୁଲ ଚହର ରହିଛନ୍ତି। କିନ୍ତୁ ବର୍ତ୍ତମାନ ବିଶ୍ନୋଇ ଦୌଡରେ ଆଗରେ ଥିବା କହିଛନ୍ତି କାର୍ତ୍ତିକ। କ୍ରିକବଜ୍ ସହ ଆଲୋଚନା ବେଳେ ସେ କହିଛନ୍ତି, ଆମକୁ ଦେଖିବାକୁ ପଡିବ ଯେ, ଚହଲ କେତେ ଖରାପ ବୋଲିଂ କରୁଛନ୍ତି। ତାଙ୍କର ରେକର୍ଡ କହୁଛି ସେ ନିକଟ ସମୟରେ ଚହଲ ଆଶାନୁରୂପ ପ୍ରଦର୍ଶନ କରି ନାହାନ୍ତି। ମାତ୍ର ଅନେକ ଦୃଷ୍ଟିରୁ ସେ ଭାଗ୍ୟଶାଳୀ ରହିଛନ୍ତି, କାରଣ ଦଳରୁ ହଟାଇବା ପାଇଁ ତାଙ୍କୁ ଅନ୍ୟ ବୋଲରଙ୍କଠୁ ଚ୍ୟାଲେଞ୍ଜ ମିଳୁନାହିଁ.