ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୩,୩୯୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ କରୋନା କମିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହୋଇ ଦୈନିକ ସଂକ୍ରଗଣ ୧୦ ହଜାର ଉପରକୁ ଚାଲିଯାଇଥିଲା । ହେଲେ ଏବେ କ୍ରମଶଃ କମିବାରେ ଲାଗିଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଉଥିବା ଦେଖିବାକୁ ମିଳୁଛି । ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ାଉ ପରେ ବି ସଂକ୍ରମଣ କମୁନାହିଁ । ଗତ କିଛିଦିନ ତଳେ ସଂକ୍ରମଣ ୧୫ରୁ ୨୦ଟି ଜିଲ୍ଲା ମଧ୍ୟରେ ସୀମିତ ରହୁଥିବା ବେଳେ ଏବେ ଏହା ରାଜ୍ୟବ୍ୟାପୀ ମାଡ଼ିଗଲାଣି ।

ଆଜି ୩ହଜାର ୩୨୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୯୩୪ ଓ ସ୍ଥାନୀୟ ଅଞ୍ଚଳରୁ ୧୩୯୫ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୫୦୪ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୯ ହଜାର ୨୪୦ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୧ ଲକ୍ଷ ୯୩ ହଜାର ୩୬୫ ରହିଥିବା ବେଳେ ୪୭ହଜାର ୨୧୦ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ରାଜ୍ୟରେ ଆଉ ୧୮ ଜଣଙ୍କ କୋଭିଡ୍ ଜନିତ ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟାରେ ଏହି ସଂଖ୍ୟା ଆସିଛି । ଅଡିଟ୍ ପ୍ରୋସେସ୍ ରେ ଆଉ ୧୮ ଜଣଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ କୋଭିଡ୍ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଓ ଯାଜପୁରରୁ ୩ ଜଣ ଲେଖାଏଁ ଓ ଜଗତସିଂହପୁରରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଭଦ୍ରକ, କଟକ, ଢ଼େଙ୍କାନାଳ, କେନ୍ଦୁଝର, ନୟାଗଡ଼ ଓ ପୁରୀରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ ବର୍ତ୍ତମାନ କରୋନାଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୬୧୨କୁ ବୃଦ୍ଧି ପାଇଛି ।