fbpx

ବିଶ୍ୱ ଚାମ୍ପିୟନ୍ ଭାରତୀୟ ଅଣ୍ଡର-୧୯ ଟିମ୍ ପାଇଁ ପୁରସ୍କାର ଘୋଷଣା କଲା ବିସିସିଆଇ, ଜାଣନ୍ତୁ କାହାକୁ କେତେ ମିଳିଲା

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ଚାମ୍ପିୟନ ହୋଇ ଭାରତ ଇତିହାସ ରଚିଛି । ରାଜ ବାୱନଙ୍କ ଶାନଦାର ପ୍ରଦର୍ଶନ ଫଳରେ ଭାରତୀୟ ଅଣ୍ଡର-୧୯ ଟିମ୍ ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରି ପଞ୍ଚମ ଥର ପାଇଁ ବିଶ୍ୱ ଚାମ୍ପିୟନ ହୋଇଛି । ତେବେ ଏହି ଖୁସିର ମୁହୂର୍ତ୍ତରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବିଜୟୀ ଟିମକୁ ଅଭିନନ୍ଦନ ଜଣାଇବା ସହ ପୁରସ୍କାର ବର୍ଷା କରିଛି । ଭାରତୀୟ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୪୦ ଲକ୍ଷ ଟଙ୍କା ଲେଖାଏଁ ଓ ସହଯୋଗୀ କର୍ମଚାରୀଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି ।

ୟାଶ ଧୁଲଙ୍କ ନେତୃତ୍ୱାଧୀନ ଭାରତୀୟ ଯୁବ ବାହିନୀ ଇଂଲଣ୍ଡର ୧୯୦ର ଟାର୍ଗେଟକୁ ୧୪ଟି ବଲ ବାକି ଥାଇ ହାସଲ କରିନେଇଥିଲା । ବିଜୟ ପରେ ସଙ୍ଗେସଙ୍ଗେ ବିସିସିଆଇ ସମ୍ପାଦକ ଜୟ ଶାହ ସୋସିଆଲ ମିଡ଼ିଆରେ ପୁରସ୍କାର ରାଶି ଘୋଷଣା କରିଥିଲେ । ଏହି ପୁରସ୍କାର ରାଶି ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଏକ ଛୋଟ ଉପହାର ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଥିଲେ । ସେହିପରି ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ମଧ୍ୟ ରବି କୁମାର ଓ ରାଜ ବାୱାଙ୍କ ପ୍ରଦର୍ଶନଙ୍କୁ ପ୍ରଶଂସା କରିଥିଲେ । ଅତୀତରେ ୨୦୦୦ ମସିହାରେ ମହମ୍ମଦ କୈଫ, ୨୦୦୮ରେ ବିରାଟ କୋହଲି, ୨୦୧୨ରେ ଉନ୍ମୁକ୍ତ ଚାନ୍ଦ, ୨୦୧୮ରେ ପୃଥ୍ୱୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ବିଶ୍ୱକପ୍ ହାସଲ କରିଥିବା ବେଳେ ଏଥିରେ ୟାଶଙ୍କ ନାମ ଯୋଡ଼ି ହୋଇଛି ।

Get real time updates directly on you device, subscribe now.