fbpx

କୋରେଇ BDOଙ୍କୁ ଆକ୍ରମଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଜାରି ରହିଥିବା ବେଳେ ଅନେକ ସ୍ଥାନରେ ଗଣ୍ଡଗୋଳ, ହିଂସା ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ଆଜି ଆକ୍ରମଣର ଶିକାର ହୋଇଛନ୍ତି କୋରେଇ ବିଡିଓ । ଗୋଳେଇପୁର ପଞ୍ଚାୟତ ସୋତି ଗ୍ରାମରେ ବୁଥ ସାମ୍ନାରେ ବିଡିଓଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି । କିଛି ଦୁର୍ବୃତ୍ତ ବୁଥ ଜବରଦଖଲ କରୁଥିବା ନେଇ ଅଭିଯୋଗ ଆସିବା ପରେ ବିଡିଓ ଘଟଣାସ୍ଥଳରେ ପହଞ୍ଚିଥିଲେ । ମାତ୍ର ଜବରଦଖଲକାରୀମାନେ ବିଡିଓଙ୍କୁ ମଧ୍ୟ ଠେଲାପେଲା କରିଥିବା ଅଭିଯୋଗ ହୋଇଛି । ୮, ୯, ୧୦ ଓ ୧୧ ନମ୍ବର ବୁଥରେ ଉତ୍ତେଜନା ଜାରି ରହିଥିବା ବେଳେ ସେଠାରେ ମତଦାନ ବନ୍ଦ ରହିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଆଜି ସକାଳ ୯ଟା ସୁଦ୍ଧା ଯାଜପୁର ଜିଲ୍ଲାରେ ୧୫ ପ୍ରତିଶତ ମତଦାନ ହୋଇଥିବା ନେଇ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଥିଲେ । ବିଞ୍ଝାରପୁର ବ୍ଲକ ବାଛଳ ପଞ୍ଚାୟତର ୪ ନମ୍ବର ବୁଥରେ ଦୁର୍ବୃତ୍ତମାନେ ଭୋଟ ବାକ୍ସ ଉଠାଇ ନେଇଥିଲେ । ଫଳରେ ସେଠାରେ ମଧ୍ୟ ମତଦାନ ବନ୍ଦ ରହିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହେଉଥିବା ବେଳେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥାରେ ମୋଟ ୨୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ୧୬୨୫ ପାଟ୍ରୋଲିଂ ପାର୍ଟିକୁ ମଧ୍ୟ ସଜାଗ ରହିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା । ପୂର୍ବରୁ ଯାଜପୁର ଜିଲ୍ଲାରୁ ଭୋଟ ସମୟରେ ଗଣ୍ଡଗୋଳ କରି ୨୮ ଜଣ ଗିରଫ ହୋଇଥିଲେ । ସେହିପରି ଢେଙ୍କାନାଳରୁ ୬, ପୁରୀରୁ ୨୩ ଓ ଜଗତସିଂହପୁରରୁ ମଧ୍ୟ ୫ ଜଣଙ୍କୁ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.