ବିଜେଡି କର୍ମୀଙ୍କୁ ହତ୍ୟା: ସନ୍ଦେହ ଘେରରେ ବିଜେପିର ଜଣେ ବରିଷ୍ଠ ନେତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନୀ ହିଂସା ଚରମସୀମାରେ ପହଞ୍ଚିଛି । ପୂର୍ବରୁ ଏକାଧିକ ସ୍ଥାନରେ ବୁଥ୍ ଜବରଦଖଲ, ପ୍ରାର୍ଥୀଙ୍କୁ ଅପହରଣ, ସାମ୍ବାଦିକଙ୍କୁ ଆକ୍ରମଣ, ମାରପିଟ୍ ଆଦି ଦେଖିବାକୁ ମିଳିଥିଲା । ତେବେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଜଣେ ବିଜେଡି କର୍ମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖାଦେଇଛି । ଫଳରେ ଏହାକୁ ନେଇ ସାମ୍ନାସାମ୍ନି ହୋଇଛନ୍ତି ବିଜେପି ଓ ବିଜେଡି ।

ଜଣାପଡ଼ିଛି ଯେ, ଗତକାଲି ରାତି ୯ଟାରେ ବିଜେପିର ଜଣେ ବରିଷ ନେତା ନିଜ ସମର୍ଥକଙ୍କ ସହ ପ୍ରଚାର ସାରି ଫେରୁଥିଲେ । ଏହି ସମୟରେ ବିଜେଡିର ଜଣେ କର୍ମୀଙ୍କ ସହ ବିଜେପି କର୍ମୀଙ୍କର ଯୁକ୍ତିତର୍କ ହୋଇଥିଲା । ଏହି ଘଟଣା କ୍ରମଶଃ ବଢ଼ିବା ସହ ଘଟଣାସ୍ଥଳରେ ବିଜେଡି କର୍ମୀଙ୍କ ମୃତ୍ୟୁ ଘଟିଥିଲା । ତେବେ ବିଜେପି କର୍ମୀମାନେ ବିଜେଡି କର୍ମୀଙ୍କୁ ପିଟିପିଟି ମାରିଦେଇଥିବା ମୃତକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଏହି ହତ୍ୟାକାଣ୍ଡ ପଛରେ ବିଜେପିର ଜଣେ ବରିଷ୍ଠ ନେତାଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଆଣିଛି ବିଜେଡି । ଏନେଇ ବିଜେଡିର ଅନେକ ବରିଷ୍ଠ ନେତା ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।