ୟୁପିରେ କାମ ଦେଲାନି ପ୍ରିୟଙ୍କା ଗାନ୍ଧୀଙ୍କ ‘ଲଡକି ହୁଁ ଲଢ ସକତି ହୁଁ’ ନାରା, ଅସ୍ଥିତ୍ଵ ପାଇଁ ସଂଘର୍ଷ କରୁଛି କଂଗ୍ରେସ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ର ମତଦାନ ପ୍ରକ୍ରିୟା ସଂପନ୍ନ ହୋଇଛି। ତେବେ ଗତକାଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ଦ୍ଵାରା ହୋଇଥିବା ଏକଜିଟ୍ ପୋଲରେ ୟୁପିରେ ବିଜେପି ପୁଣି ଥରେ ସରକାର ଗଠନ କରୁଥିବା ପୂର୍ବାନୁମାନ କରାଯାଇଛି। ସମାଜବାଦୀ ପାର୍ଟି ଦ୍ଵିତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ରାଜ୍ୟରେ ନିଜର ଅସ୍ଥିତ୍ଵ ବଞ୍ଚାଇବାକୁ ସଂଘର୍ଷ କରୁଥିବା ଜଣା ପଡିଛି। ଏକଜିଟ୍ ପୋଲ୍ ହିସାବରେ କଂଗ୍ରେସକୁ ମାତ୍ର ୪ ରୁ ୮ ସିଟ୍ ମିଳିପାରେ। ଏଥର ୟୁପିରେ ନିର୍ବାଚନ ପ୍ରଚାର ମଙ୍ଗ ସମ୍ଭାଳିଥିଲେ କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ। ସେ ମହିଳା ଭୋଟରଙ୍କ ଉପରେ ଅଧିକ ଫୋକସ୍ କରିଥିଲେ। ତେବେ ତାଙ୍କର ଏହି କାର୍ଡ ଫେଲ୍ ମାରିଥିବା ଏକଜିଟ୍ ପୋଲରୁ ଜଣା ପଡିଛି।
କଂଗ୍ରେସ ପାର୍ଟି ନେତାଙ୍କ ଅନୁଯାୟୀ, ୟୁପି ନିର୍ବାଚନକୁ ନେଇ ପ୍ରିୟଙ୍କା ଗାନ୍ଧୀ ପ୍ରଥମରୁ ସ୍ପଷ୍ଟ କରି ସାରିଥିଲେ ଯେ, ଦଳ ଏଥର ଏକାକୀ ନିର୍ବାଚନ ଲଢିବ ଏବଂ ମହିଳାଙ୍କ ଉପରେ ଫୋକସ୍ କରିବ। ଏହି କାରଣରୁ ଦଳ ୪୦ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ତେବେ ଦଳ ପାଖରେ ସେମିତି କୌଣସି ବଡ ଚେହେରା ନଥିଲେ, ଯିଏ ମତଦାତାଙ୍କୁ ନିଜ ଆଡକୁ ଟାଣି ପାରିବେ। ପ୍ରିୟଙ୍କା ୟୁପି ମଇଦାନକୁ ଓହ୍ଲାଇବା ସହ ଲୋକଙ୍କ ସହ ମିଶିବାକୁ ଚେଷ୍ଟା କରିଥିଲେ ବୋଲି କଂଗ୍ରେସ ନେତା କହିଛନ୍ତି।
ରାଜନୈତିକ ବିଶ୍ଳେଷକଙ୍କ ଅନୁସାରେ, ପ୍ରିୟଙ୍କାଙ୍କ ନିର୍ବାଚନ ପ୍ରଚାରର ଖାସ୍ କଥା ଏହା ଯେ, ସେ ତୃଣମୂଳସ୍ତରର ପ୍ରସଙ୍ଗ ଉଠାଇଥିଲେ। ହେଲେ ଜନତା କଂଗ୍ରେସର ଦାବିକୁ ବିଶ୍ଵାସକୁ ନେଲେ ନାହିଁ। ପ୍ରିୟଙ୍କା ଗାନ୍ଧୀଙ୍କ ପୂରା ଫୋକସ୍ ମହିଳା ସଶକ୍ତିକରଣ ଉପରେ ରହିଥିଲା। ପ୍ରିୟଙ୍କା ମହିଳାଙ୍କ ସ୍ଵତନ୍ତ୍ର ଶକ୍ତି ବିଧାନ ନିର୍ବାଚନୀ ଇସ୍ତାହାର ଘୋଷଣା କରିଥିଲେ। ତେବେ ଜନତା ୨୦୧୪ର କଂଗ୍ରେସର ନକରାତ୍ମକ ଛବିକୁ ଏବେ ମଧ୍ୟ ଭୁଲି ପାରି ନାହାନ୍ତି। ବିଜେପି ୨୦୧୩ ପୂର୍ବରୁ କଂଗ୍ରେସ ଉପରେ ଯେଉଁ ତୃଷ୍ଟୀକରଣ ଦାଗ ଲଗାଇଛି, ତାର କ୍ଷତି ଏବେ ମଧ୍ୟ କଂଗ୍ରେସକୁ ସହିବାକୁ ପଡୁଛି।
ଉତ୍ତର ପ୍ରଦେଶରେ କଂଗ୍ରେସ ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ ନିଜର ଅସ୍ଥିତ୍ଵ ଜାହିର କରିବାକୁ ଚେଷ୍ଟା କରି ଆସୁଛି। ୨୦୧୨ ବିଧାନସଭା ନିର୍ବାଚନରେ କଂଗ୍ରେସ ୨୮ଟି ସିଟ୍ ଜିତିଥିଲା। ୨୦୧୪ରେ ମୋଦୀ ଲହରରେ କଂଗ୍ରେସ ରାଜ୍ୟରେ କେବଳ ୨ଟି ଲୋକସଭା ସିଟ୍ ଜିତିବାକୁ ସକ୍ଷମ ହୋଇଥିଲା। ଏହା ପରେ ୨୦୧୭ରେ କଂଗ୍ରେସ ସମାଜବାଦୀ ପାର୍ଟି ସହ ମେଣ୍ଟ କରି କେବଳ ୧୧୪ ଆସନରେ ନିର୍ବାଚନ ଲଢିଥିଲା। ଏଥିରୁ ଦଳ କେବଳ ୭ଟିରେ ବିଜୟୀ ହୋଇଥିଲା। ପୁଣି ୨୦୧୯ ଲୋକସଭାରେ କଂଗ୍ରେସର ସ୍ଥିତି ଆହୁରି ଖରାପ ହୋଇ ଚାଲିଲା। ଦଳ କେବଳ ପରମ୍ପରାଗତ ସିଟ୍ ରାୟବରେଲୀ ବଞ୍ଚେଇବାରେ ସଫଳ ହୋଇଥିଲା। ଏପରିକି ରାହୁଲ ଗାନ୍ଧୀ ମଧ୍ୟ ନିଜ ସିଟରେ ପରାଜୟବରଣ କରିଥିଲେ।