fbpx

ରାଜ୍ୟସଭାକୁ ଯାଇ ପାରନ୍ତି BJP ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ: ଓଡ଼ିଶା ରାଜନୀତିରେ କ’ଣ ରହିବ ପ୍ରଭାବ

ନୂଆଦିଲ୍ଲୀ: ବର୍ତ୍ତମାନ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଯାଇଛି । ୪ଟି ରାଜ୍ୟରେ ବିଜେପି ବାଜିମାତ କରିଥିବା ବେଳେ ଗୋଟିଏ ରାଜ୍ୟରେ ଆମ ଆଦମୀ ପାର୍ଟି (ଆପ) ସରକାର ଗଠନ କରିବ । ତେବେ ଏହା ପୂର୍ବରୁ ଆସାମରେ ମ୍ୟୁନିସିପାଲିଟି ନିର୍ବାଚନରେ ଭାଜପା ବିପୁଳ ବିଜୟ ହାସଲ କରିଥିଲା । ଦଳ ୯୭୭ଟି ୱାର୍ଡରୁ ୭୫୯ଟି ୱାର୍ଡ ଦଖଲ କରିଥିଲା । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆସାମର ପ୍ରଭାରୀ ଦାୟିତ୍ୱରେ ରହିଥିଲେ ପୂର୍ବତନ ସାଂସଦ ତଥା ବର୍ତ୍ତମାନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ବୈଜୟନ୍ତ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମାଙ୍କୁ ଭେଟିବା ପରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବୈଜୟନ୍ତ ଆସାମରୁ ରାଜ୍ୟସଭାକୁ ଯାଇପାରନ୍ତି ବୋଲି କିଛି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ଏନେଇ ବୈଜୟନ୍ତ କିମ୍ବା ଦଳୀୟ ସୂତ୍ରରୁ କୌଣସି ପ୍ରତିକ୍ରିୟା ବର୍ତ୍ତମାନ ସୁଦ୍ଧା ଆସିନାହିଁ ।

ବର୍ତ୍ତମାନର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅତୀତରେ ବିହାରରୁ ରାଜ୍ୟସଭାକୁ ଯାଇଥିଲେ । ତେଣୁ ବୈଜୟନ୍ତଙ୍କୁ ମଧ୍ୟ ଭାଜପା ରାଜ୍ୟସଭା ପଠାଇପାରେ । ବୈଜୟନ୍ତଙ୍କ ପରି ଜଣେ ଟାଣୁଆ, ଅଭିଜ୍ଞତାସମ୍ପନ୍ନ, ଜ୍ଞାନୀ ରାଜନେତାଙ୍କୁ ଭାଜପା ଉତ୍ତର-ପୂର୍ବରେ ଦଳର ପ୍ରାଧାନ୍ୟ ଜାହିର ପାଇଁ ସେନାପତି କରିପାରେ । ବିଗତ କିଛିବର୍ଷ ଧରି ଉତ୍ତର-ପୂର୍ବ ଭାରତରେ ନିଜର ସ୍ଥିତି ସୁଦୃଢ଼ କରିବା ପ୍ରୟାସରେ ରହିଛି ଭାଜପା । ତେଣୁ ଏଭଳି ଚର୍ଚ୍ଚାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ । ତେବେ ଯଦି ବୈଜୟନ୍ତ ରାଜ୍ୟସଭାକୁ ଯାଆନ୍ତି, ତେବେ ଏହାର ପ୍ରଭାବ ନିଶ୍ଚିତ ଭାବେ ଓଡ଼ିଶା ଉପରେ ପଡ଼ିପାରେ । ତେଣୁ ତାଙ୍କୁ ନେଇ ହେଉଥିବା ଚର୍ଚ୍ଚା କେତେଦୂର ଠିକ୍ ତାହା ସମୟ ଆସିଲେ ଜଣାପଡ଼ିବ ।

Get real time updates directly on you device, subscribe now.