fbpx

ଟିଏମସି ନେତାଙ୍କ ହତ୍ୟା ପରେ ହିଂସା, ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୧୦ ଜୀବନ୍ତ ଦଗ୍ଧ

କୋଲକାତା: ବିଧାନସଭା ନିର୍ବାଚନ ପରେ ହିଂସାରେ ଜଳି ଉଠିଥିବା ପଶ୍ଚିମବଙ୍ଗରେ ପୁଣି ଥରେ ହିଂସାକାଣ୍ଡ ଆରମ୍ଭ ହୋଇ ଯାଇଛି। ସୋମବାର ଟିଏମସିର ଜଣେ ପଞ୍ଚାୟତ ନେତାଙ୍କ ହତ୍ୟା ପରେ ସୃଷ୍ଟି ହିଂସାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ଆସିଛି। ଲୋକଙ୍କ ଘରେ ନିଆଁ ଲଗାଇ ଦେବାରୁ ୧୦ ଜଣ ଜୀଅନ୍ତା ଜଳି ଯାଇଛନ୍ତି। ଏଥିସହ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି।

ପୋଲିସ ଅନୁଯାୟୀ, ବୀରଭୂମ ଜିଲ୍ଲାର ବାରଶଲ ଗ୍ରାମ ପଞ୍ଚାୟତର ଉପ ପ୍ରଧାନ ଭାଦୁ ଶେଖଙ୍କ ସୋମବାର ହତ୍ୟା ହୋଇଥିଲା। ଏହା ପରେ ସେହି ଦିନ ରାତିରେ ଏହି ହିଂସାକାଣ୍ଡ ଘଟିଛି। ଏଥିରେ ୧୦ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଭାଦୁ ଶେଖ ବୋଗତୁଇ ଗାଁର ବାସିନ୍ଦା ଥିଲେ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି କାଣ୍ଡ ଟିଏମସିର ଏକ ଗୋଷ୍ଠୀ ଦ୍ଵାରା କରାଯାଇଛି। କିନ୍ତୁ ତୃଣମୂଳ କଂଗ୍ରେସ ଏହି ଅଭିଯୋଗକୁ ଖଣ୍ଡନ କରିଛି। ବୀରଭୂମ ଜିଲ୍ଲାର ଟିଏମସି ଅଧ୍ୟକ୍ଷ ଅନୁବ୍ରତ ମଣ୍ଡଳ ମଙ୍ଗଳବାର କହିଛନ୍ତି, ଅଗ୍ନିକାଣ୍ଡ ହିଂସା ସମୟରେ ଘଟିନାହିଁ। ଅଗ୍ନିକାଣ୍ଡ ସର୍ଟସର୍କିଟ୍ କାରଣରୁ ହୋଇଛି। ଫଳରେ ଘରଗୁଡିକରେ ନିଆଁ ଲାଗି ଯାଇଛି। ସୋମବାର ରାତିରେ କୌଣସି ହିଂସା ଘଟିନାହିଁ ବୋଲି ସେ କହିଛନ୍ତି।

ଫାୟର ବ୍ରିଗେଡର ଜଣେ କର୍ମଚାରୀ ନାମ ଗୋପନୀୟ ରଖିବା ସର୍ତ୍ତରେ କହିଛନ୍ତି, ଅତି କମରେ ୧୦ ଘର ଜୋଳିପୋଡି ଛାରଖାର ହୋଇ ଯାଇଛି। ସ୍ଥାନୀୟ ଲୋକଙ୍କୁ ନିଆଁ ଲିଭାଇବାରେ ଅଟକାଯାଇଥିଲା। ଏ ପର‌୍ୟ୍ୟନ୍ତ ଆମକୁ ଗୋଟିଏ ଘରୁ ସାତ ଜଣଙ୍କ ମୃତଦେହ ମିଳି ସାରିଛି। ଶରୀର ଏତେ ଜଳି ଯାଇଛି ଯେ, ସେମାନଙ୍କୁ ଚିହ୍ନଟ କରିବା ମୁସ୍କିଲ ଯେ, ସେଥିରେ କେତେ ଜଣ ପୁରୁଷ ଏବଂ କେତେ ଜଣ ମହିଳା ଅଛନ୍ତି।

ବର୍ତ୍ତମାନ ଘଟଣାସ୍ଥଳରେ ବ୍ୟାପକ ପୋଲିସ ବଳ ମୁତୟନ କରାଯାଇଛି। ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ମମତା ସରକାରରେ ମନ୍ତ୍ରୀ ଫିରହାଦ ହାକିମ ଏବଂ ରାମପୁର ହାଟର ବିଧାୟକ ଆଶିଷ ବାନାର୍ଜୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Get real time updates directly on you device, subscribe now.