fbpx

ଦିଲ୍ଲୀରେ ଜଣେ ମେୟର ରହିଲେ କମିଯିବ ମୁଖ୍ୟମନ୍ତ୍ରୀ କ୍ରେଜିୱାଲଙ୍କ ପାୱାର: ୩ଟି ନଗର ନିଗମକୁ ଭାଙ୍ଗି ଗୋଟିଏ କରିବା ପଛରେ BJPର ରହିଛି ଚକ୍ରାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀରେ ଏଣିକି ତିନୋଟି ନଗର ନିଗମ ଏକ ହୋଇଯିବ । ଏ ସଂପର୍କିତ ବିଲ ସଂସଦର ଚଳିତ ଅଧିବେଶନରେ ଉପସ୍ଥାପିତ କରାଯିବ । କାନୁନ ତିଆରି ହେବା ପରେ ଦିଲ୍ଲୀ ନଗର ନିଗମ ତା’ର ୧୦ ବର୍ଷ ତଳର ପୂର୍ବାବସ୍ଥାକୁ ପୁଣି ଥରେ ଫେରିଯିବ । ଗତ ୨୦୧୨ ମସିହାରେ କଂଗ୍ରେସର ଶୀଲା ଦୀକ୍ଷିତ ସରକାର ଏହାକୁ ୩ଟି ଭାଗରେ ବାଣ୍ଟି ଦେଇଥିଲେ । ଫଳରେ ଦିଲ୍ଲୀ ନଗର ନିଗମ ନର୍ଥ ଦିଲ୍ଲୀ (ଏନଡିଏମସି), ସାଉଥ ଦିଲ୍ଲୀ (ସିଡିଏମସି) ଓ ଇଷ୍ଟ ଦିଲ୍ଲୀ (ଇଡିଏମସି) ଭାବେ ବିଭକ୍ତ ହୋଇଥିଲା । ସଂସଦର ମୋହର ଲାଗିବା ପରେ ୩ଟି ନିଗମକୁ ଭଙ୍ଗ କରାଯିବା ପରେ ଆସନ୍ତା ମେ ମାସ ୧୮ ପୂର୍ବରୁ ନିର୍ବାଚନ କରାଯାଇପାରେ ବୋଲି ଜଣାପଡ଼ିଛି ।

ତେବେ ଠାରେ ପ୍ରଶ୍ନ ଉଠୁଛି କାହିଁକି ବିଜେପି ଗୋଟିଏ ନିଗମ କରିବା ସପକ୍ଷରେ ରହିଛି । ଯେତେବେଳେ ଶୀଲା ଦୀକ୍ଷିତ ଏହାକୁ ଭଙ୍ଗ କରିଥିଲେ ସେତେବେଳେ ବିଜେପି ଏହାକୁ ବିରୋଧ କରିଥିଲା । କୁହାଯାଉଛି ଯେ, ତିନୋଟି ନିଗମର ଜଣେ ମେୟର ରହିଥାନ୍ତି, ଯେ କି ମୁଖ୍ୟମନ୍ତ୍ରୀଙ୍କ ସମକକ୍ଷ ପାୱାରଫୁଲ ହୋଇଥାନ୍ତି । ନିର୍ବାଚନ ପୂର୍ବରୁ ବିଜେପିର ଏହି ପଦକ୍ଷେପକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଶ୍ନ ଉଠାଇଛନ୍ତି । ଦିଲ୍ଲୀ ସରକାର ନଗର ନିଗମ ପାଇଁ ଫଣ୍ଡ ଜାରି କରୁନଥିବାରୁ କ୍ଷତି ଘଟୁଥିବା ନେଇ ବିଜେପି ଅଭିଯୋଗ କରିଛି । କେଜ୍ରିୱାଲ ସରକାର ୧୩ ହଜାର କୋଟିକୁ ରୋକିଥିବା ନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ।

ତିନୋଟି ନିଗମ ଗୋଟିଏ ହୋଇଗଲେ ଆର୍ଥିକ କ୍ଷେତ୍ରରେ ସୁଫଳ ମିଳିବ ବୋଲି ବିଜେପି ନେତା ଓ ଦକ୍ଷିଣ ଦିଲ୍ଲୀର ମେୟର ସୁଭାଷ ଆର୍ଯା କହିଛନ୍ତି । ସେହିପରି ତିନିଟି ନଗର ନିଗମ ରହିବା କାରଣରୁ ଅନେକ ଥର କର୍ମଚାରୀମାନେ ବେତନ ପାଇବା ପାଇଁ ହରତାଳ କରୁଛନ୍ତି ବୋଲି କହିଛନ୍ତି ପୂର୍ବତନ ମେୟର । ଗତ ୧୯୯୮ରୁ ଦିଲ୍ଲୀରେ କ୍ଷମତାଠାରୁ ଦୂରରେ ରହିଛି ବିଜେପି । ତେଣୁ କେବଳ ଆର୍ଥିକ ନୁହେଁ ଏହି ପ୍ରସଙ୍ଗରେ ରାଜନୀତିକରଣ କରାଯାଉଛି ବୋଲି ଆଲୋଚନା ହେଉଛି । ନିକଟରେ ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି)ର ବୃହତ ବିଜୟ ପରେ ବିଜେପି ଦିଲ୍ଲୀରେ ମଧ୍ୟ ଧରାଶାୟୀ ହେବ ବୋଲି ଆଶଙ୍କା ମଧ୍ୟରେ ରହିଛି । ଏହି ପଦକ୍ଷେପ ଦ୍ୱାରା ବିଜେପି କେଜ୍ରିୱାଲଙ୍କ କ୍ଷମତାକୁ ସଙ୍କୁଚିତ କରିବାକୁ ଚାହୁଛିଁ । ତିନୋଟି ନଗର ନିଗମ ଏକ ହୋଇଗଲେ ତା’ର ମେୟର ମୁଖ୍ୟମନ୍ତ୍ରୀଙ୍କ ପରି କ୍ଷମତାଶାଳୀ ହୋଇପାରିବେ । ନଗର ନିଗମ ଉପରେ ଦିଲ୍ଲୀ ସରକାରଙ୍କ କର୍ତ୍ତୃତ୍ୱକୁ ହ୍ରାସ କରି ମେୟର-ଇନ-କାଉନସିଲ ବ୍ୟବସ୍ଥା ଲାଗୁ ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.