ଚୁପ ରହୁଛି ଭାରତ: ଋଷର ମାନବୀୟ ସଙ୍କଟ ପ୍ରସ୍ତାବ ଉପରେ ପ୍ରସ୍ତାବକୁ ଭୋଟ ଦେଲାନି ଇଣ୍ଡିଆ

ନୂଆଦିଲ୍ଳୀ: ମିଳିତ ଜାତିସଂଘ ସୁରକ୍ଷା ପରିଷଦ(UNSC)ରେ ୟୁକ୍ରେନର ମାନବିକ ସଂକଟ ଉପରେ ଋଷର ପ୍ରସ୍ତାବ ଉପରେ ଭୋଟଦାନରୁ ନିଜକୁ ଦୂରେଇ ରଖିଛି ଭାରତ । ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉପରେ ଭାରତ ଏହାର ନିରପେକ୍ଷତାକୁ ବଜାୟ ରଖିଛି । ଏହା ପୂର୍ବରୁ ଭାରତ UNରେ ୟୁକ୍ରେନ ମାମଲାରେ ମଧ୍ୟ ଋଷ ବିରୁଦ୍ଧରେ ପଶ୍ଚିମ ଦେଶା ପ୍ରସ୍ତାବ ଉପରେ ମଧ୍ୟ ନୀରବ ରହିଥିଲା ।

ତେବେ କେବଳ ଭାରତ ନୁହେଁ, ଅନ୍ୟ ୧୩ ଦେଶ ମଧ୍ୟ ଭୋଟିଂରୁ ନିଜକୁ ଦୂୂରେଇ ରଖିଛନ୍ତି । ଏହି ପ୍ରସ୍ତାବକୁ ସିରିୟା, ଉତ୍ତର କୋରିଆ ଏବଂ ବେଲାଋଷ ସମର୍ଥନରେ ହିଁ ଉପସ୍ଥାପନ କରିଥିଲା ଋଷ । ତେବେ ଏହାକୁ ପାସ କରିବା ପାଇଁ ୯ ଭୋଟର ଆବଶ୍ୟକ ରହିଥିବା ବେଳେ ଏହା ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ତେଣୁ ଅଧାରେ ଅଟକି ଯାଇଛି ଋଷର ଏହି ପ୍ରସ୍ତାବ । UNର ୧୫ ଜଣିଆ ସଦସ୍ୟ ସାମନାରେ ଋଷ ଏହି ପ୍ରସ୍ତାବ ରଖିଥିବା ବେଳେ କେବଳ ଋଷ ଏବଂ ଚୀନ ଏହି ପ୍ରସ୍ତାବରେ ମୋହର ଲଗାଇଥିଲେ । ଭାରତ ସମେତ ସିକ୍ୟୁରିଟି କାଉନ୍ସିଲର ଅନ୍ୟ ସମସ୍ତ ସଦସ୍ୟ ଏହି ଭୋଟିଂରେ ନିଜ ମନ୍ତବ୍ୟ ଦେଇ ନାହାନ୍ତି । ମହିଳା, ଶିଶୁ ଏବଂ ମାନବିକ କର୍ମୀଙ୍କ ସମତେ ସମସ୍ତ ନାଗରିକଙ୍କ ସୁରକ୍ଷା ଏବଂ ଋଷ ୟୁକ୍ରେନ ମଧ୍ୟରେ ରାଜନୈତିକ ବାର୍ତ୍ତା, ମଧ୍ୟସ୍ଥତା ଓ ଅନ୍ୟାନ୍ୟ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରିବା ପାଇଁ ଅପିଲ କରିଥିଲା ଋଷ ।