fbpx

କାହିଁକି ଅଧିନାୟକ ପଦ ଛାଡିଲେ ମାହି?: ଧୋନୀଙ୍କ ଏପରି ନିଷ୍ପତ୍ତିକୁ ନେଇ ମୁହଁ ଖୋଲିଲେ କୋଚ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୫ ତମ ସଂସ୍କରଣ ଆରମ୍ଭର ୨ ଦିନ ପୂର୍ବରୁ ଚେନ୍ନାଇର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଧୋନୀଙ୍କ ପରେ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । କୋଲକାତା ବିପକ୍ଷ ପ୍ରଥମ ମ୍ୟାଚ ପୂର୍ବରୁ ଅଚାନକ ଏମିତି ଏକ ଘୋଷଣା କରିଛନ୍ତି କ୍ୟାପଟେନ କୁଲ ମାହି । ତେବେ ଏ ନେଇ ପ୍ରଶଂସକଙ୍କ ମନରେ ଅନେକ ଦ୍ୱନ୍ଦ୍ୱ ଥିବା ବେଳେ ଏହାର ପ୍ରକୃତ ଘଟଣା ନେଇ ମୁହଁ ଖୋଲିଛନ୍ତି ଦଳର କୋଚ ଷ୍ଟିଫେନ ଫ୍ଲେମିଙ୍ଗ ।

ଦଳର ଅଧିନାୟକ ପଦ ଛାଡିବା ନିଷ୍ପତ୍ତି ଅଚାନକ ନୁହେଁ ବୋଲି କହିଛନ୍ତି କୋଚ ଫ୍ଲେମିଙ୍ଗ । ଗତବର୍ଷରୁ ଏ ନେଇ ନିଷ୍ପ୍ତି ହୋଇଯାଇଥିଲା ବୋଲି ସେ କହିଥିବା ବେଳେ ଏହାର ସମୟ ଧୋନୀଙ୍କ ଉପରେ ନ୍ୟସ୍ତ ରହିଥିଲା । ତେବେ ୧୫ତମ ସଂସ୍କରଣର ଠିକ ପୂର୍ବରୁ ଘୋଷଣା କରିବାକୁ ଏହି ନିଷ୍ପତ୍ତିକୁ ଆପଣେଇଛନ୍ତି ମାହି । ଗତବର୍ଷ ଧୋନୀ ଅଧିନାୟକ ପଦ ଛାଡିବା ନେଇ ଷ୍ଟିଫେନ ଫ୍ଲେମିଙ୍ଗଙ୍କ ସହ ଆଲୋଚନା କରିଥିବା ସେ ପ୍ରକାଶ କରିଛନ୍ତି । ତେବେ ତାଙ୍ତକର ଏହି ନିଷ୍ପତ୍ତିକୁ ଦଳ ଗ୍ରହଣ କରିବା ସହ ଜାଡେଜାଙ୍କୁ ନୂତନ ଅଧିନାୟକ ପଦ ଦେବା ପାଇଁ ନିଷ୍ପତ୍ତି ହୋଇସାରିଥିଲା । ଧୋନୀଙ୍କ ପରେ ଜାଡେଜା ଦଳର ନେତୃତ୍ୱ ନେବେ ବୋଲି ଫ୍ରାଞ୍ଚାଇଜିର ସିଇଓ କାଶୀ ବିଶ୍ୱନାଥନଙ୍କୁ ସେ ସ୍ପଷ୍ଟ କରିଥିଲେ । ଧୋନୀଙ୍କ ଉପରେ ବିଶ୍ୱାସ ଏବଂ ଜାଡେଜାଙ୍କ ସହ ସମ୍ପର୍କ ଏହି ନିଷ୍ପତ୍ତିକୁ କାର୍ଯ୍ୟକ୍ଷମ କରିଥିଲା । ସେପଟେ ଦଳର ପୂର୍ବତନ ଅଧିନାୟକଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ସମ୍ମାନ ଜଣାଇଛନ୍ତି ଦଳର ସିଇଓ । ଧୋନୀ ଅଧିନାୟକ ପଦ ଛାଡିବା ପୂର୍ବରୁ ମୋଟ ୨୧୩ଟି ମ୍ୟାଚରେ ଦଳକର ପ୍ରତିନିଧିତ୍ୱ କରିଛନ୍ତି । ତେବେ ଏଥିରୁ ୧୩୦ଟି ମ୍ୟାଚରେ ବିଜୟ ଭେଟି ଦେଇଛନ୍ତି ମାହି ।

Get real time updates directly on you device, subscribe now.