ୟୁକ୍ରେନରେ ଏବେ ବି ଫସି ରହିଛନ୍ତି ୫୦ରୁ ଅଧିକ ଭାରତୀୟ: ରାଜ୍ୟସଭାରେ ଖୋଲିଲା ରହସ୍ୟ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଜାଣିବାକୁ ମିଳିଛି ଏକ ବଡ ସତ୍ୟ । ଏବେ ବି ୟୁକ୍ରେନରେ ୫୦ରୁ ଅଧିକ ଭାରତୀୟ ଫସି ରହିଥିବା ଦାବି କରିଛନ୍ତି ବିଦେଶ ରାଜ୍ୟମନ୍ତ୍ରୀ ମୀନାକ୍ଷୀ ଲେଖି । ତେବେ ଦୂତାବାସ ଦ୍ୱାରା ସେମାନଙ୍କୁ ଫେରାଇ ଆଣିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ଗତ ମାସକ ଭିତରେ ପ୍ରାୟ ୨୨,୫୦୦ ଲୋକ ୟୁକ୍ରେନରୁ ଭାରତ ଫେରିଛନ୍ତି । ଏହାପରେ ମଧ୍ୟ ଆହୁରି ୫୦ ଜଣ ସେଠାରେ ପସି ରହିଥିବା ସୂଚନା ମିଳିଛି ।

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରୁ ପ୍ରତ୍ୟେକ ଭାରତୀୟଙ୍କୁ ଉଦ୍ଧାର କରି ଆଣିବା ପାଇଁ ସରକାର ଅପରେସନ ଗଙ୍ଗା ଆରମ୍ଭ କରିଥିଲେ । ଏହାଦ୍ୱାରା ଅନେକ ଲୋକ ସେଠାରୁ ଭାରତକୁ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇଛନ୍ତି । ତେବେ ମୀନାକ୍ଷୀଙ୍କ ରିପୋର୍ଟ ଅନୁସାରେ ଏବେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ମଧ୍ୟ ଖୁବ ଶୀଘ୍ର ସରକାର ଭାରତକୁ ଫେରାଇ ଆଣିବେ ବୋଲି ଆଶା କରାଯାଉଛି ।