fbpx

୨୦୨୩ରେ ରାଜସ୍ଥାନ ବିଧାନସଭା ନିର୍ବାଚନ: ବିଜେପିକୁ ଟକ୍କର ଦେବାକୁ ପାଇଲଟଙ୍କୁ ସାରଥୀ କରିବ କଂଗ୍ରେସ

ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ କଂଗ୍ରେସ ପାଇଁ ଚିନ୍ତାର କାରଣ ପାଲଟିଛି । ତେଣୁ ଆଗକୁ ୨୦୨୪ ମେଗା ଫାଇଟ୍ ଆସୁଥିବା ବେଳେ କଂଗ୍ରେସ ନିଜର ଘର ସଜାଡ଼ିବା ଆରମ୍ଭ କରିଦେଇଛି । ସମଗ୍ର ଦେଶରେ କଂଗ୍ରେସର ସ୍ଥିତି ନୈରାଶ୍ୟଜନକ ରହିଥିବା ବେଳେ ଯେଉଁ ରାଜ୍ୟରେ ଦଳ କ୍ଷମତାରେ ରହିଛି ସେଠାରେ ପୁନର୍ବାର ପାୱାର ହାତେଇବାକୁ ଦଳ ପ୍ରୟାସ କରୁଛି ।

ତେବେ ବିଗତ କିଛିବର୍ଷ ଧରି ରାଜସ୍ଥାନରେ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଶୀତଳଯୁଦ୍ଧ ଲାଗି ରହିଛି । ତେବେ ନିକଟରେ ପାଞ୍ଚଟି ରାଜ୍ୟର ନିର୍ବାଚନ ସମୟରେ ସଚିନ ବଡ଼ ଭୂମିକା ନିଭାଇଥିଲେ । ତାଙ୍କର ପ୍ରଦର୍ଶନଙ୍କୁ ନେଇ ଦଳର ହାଇକମାଣ୍ଡ ଖୁସିବ୍ୟକ୍ତ କରିଛନ୍ତି । ଆସନ୍ତାବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ସଚିନଙ୍କୁ ରାଜ୍ୟରେ କି କେନ୍ଦ୍ରରେ ଦାୟିତ୍ୱ ମିଳିବ ସେ ନେଇ ଚର୍ଚ୍ଚା ଜାରି ରହିଛି ।

ରାଜସ୍ଥାନରେ କଂଗ୍ରେସର ସ୍ଥିତି କିପରି ରହିଛି ସେନେଇ ପାଇଲଟ ଦଳର ଶୀର୍ଷ ନେତୃତ୍ୱ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନିକଟରେ ରିପୋର୍ଟ କାର୍ଡ ଉପସ୍ଥାପିତ କରିଛନ୍ତି । ବର୍ତ୍ତମାନ ବିଜେପି ଫୁଲଫର୍ମରେ ରହିଥିବା ବେଳେ ଆସନ୍ତା ବିଧାନସଭା ନିର୍ବାଚନରେ ଦଳ ରାଜସ୍ଥାନରେ କ୍ଷମତା ବଳବତ୍ତର ରଖିବା ପାଇଁ କସରତ୍ ଆରମ୍ଭ କରିଦେଇଛି ।

ତେବେ ଏକ ସୂତ୍ରରୁ ଜଣାପଡ଼ିଛି ଯେ, କେନ୍ଦ୍ରୀୟ ନେତୃତ୍ୱ ପାଇଲଟଙ୍କୁ ଏକ ବଡ଼ ଭୂମିକା ଦେବାକୁ ବିଚାର କରୁଛି । ତେବେ ଏହି ନେତୃତ୍ୱ ରାଜ୍ୟରେ କି ଦେଶରେ ତାହା ସ୍ପଷ୍ଟ ହୋଇନାହିଁ । ଗତ ୨୦୧୮ ବିଧାନସଭା ନିର୍ବାଚନରେ ପାଇଲଟଙ୍କ ଭୂମିକାକୁ ଏକପ୍ରକାର ଅଣଦେଖା କରାଯାଇଥିଲା । ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଆଶାୟୀ ଥିବାବେଳେ ତାଙ୍କୁ ଡେପୁଟି ସିଏମ ଦାୟିତ୍ୱ ଦେଇ ଏକପ୍ରକାର ପାୱାରଲେସ୍ କରିଦିଆଯାଇଥିଲା । ଏପରିକି ମଧ୍ୟପ୍ରଦେଶର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରି ପାଇଲଟ ବିଜେପି ଆଡ଼କୁ ଢଳିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ତେବେ ଯୁବବର୍ଗ ପାଇଲଟଙ୍କୁ ଅଧିକ ପସନ୍ଦ କରୁଥିବାରୁ ରାଜ୍ୟରେ କ୍ଷମତା ହାତେଇବାକୁ ହେଲେ ପାଇଲଟଙ୍କୁ ବଡ଼ ଦାୟିତ୍ୱ ଦେବା ଜରୁରୀ ବୋଲି ତାଙ୍କର ସମର୍ଥକମାନେ କହିଛନ୍ତି ।

Get real time updates directly on you device, subscribe now.