ପୁଣି ଚିଟଫଣ୍ଡ ଠକେଇ ମାମଲାରେ ଫସିଲା ସାହାରା ଗ୍ରୁପ, ଗିରଫ କରିବାକୁ ସୁବ୍ରତ ରାୟଙ୍କ ସହ ଅନ୍ୟ ୧୪ ଜଣଙ୍କୁ ଖୋଜୁଛି ପୋଲିସ
ନୂଆଦିଲ୍ଲୀ: ସାହାରା ଗ୍ରୁପର ମୁଖ୍ୟ ସୁବ୍ରତ ରୟଙ୍କର ପିଛା ବିବାଦ ଛାଡ଼ୁନି । ପୂର୍ବରୁ ଜମାକାରୀଙ୍କ ଅର୍ଥ ହେରଫେର ମାମଲାରେ ଜେଲ ଯାଇଥିବା ସୁବ୍ରତ ପୁଣି ଫସିଛନ୍ତି ଏକ ମାମଲାରେ । ସୁବ୍ରତଙ୍କ ନାମରେ ୱାରେଣ୍ଟ ଜାରି ହୋଇଥିବା ବେଳେ ମଧ୍ୟପ୍ରଦେଶ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଉତ୍ତରପ୍ରଦେଶରେ ପହଞ୍ଚିଛି । ତେବେ ସୁବ୍ରତଙ୍କ ପତ୍ତା ମିଳୁନଥିବା ବେଳେ ଅନ୍ୟ ୧୪ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଖୋଜୁଥିବା ଜଣାପଡ଼ିଛି ।
ଜଣାପଡ଼ିଛି ଯେ, ପୋଲିସ ଟିମ୍ ଉତ୍ତରପ୍ରଦେଶର ଗୌତମୀନଗର ସ୍ଥିତ ସାହାରୀ ସିଟିରେ ପହଞ୍ଚିବା ସହ କିଛି ସମୟ ସର୍ଚ୍ଚ ଅପରେସନ କରି ଫେରି ଯାଇଥିଲା । ଏନେଇ ମଧ୍ୟପ୍ରଦେଶର ପୋଲିସ ଟିମର ଜଣେ ଅଧିକାରୀ କହିଛନ୍ତି ଯେ, ସାହାର ଚିଟଫଣ୍ଡ କମ୍ପାନୀ ଅନେକ ଲୋକଙ୍କର ଅର୍ଥ ନେଇ ସମୟ ଗଡ଼ାଇ ଚାଲିଥିଲା ଓ ନିବେଶକଙ୍କ ଅର୍ଥ ଫେରସ୍ତ କରିନଥିଲା ।
ଫଳରେ ମଧ୍ୟପ୍ରଦେଶରେ ଭିନ୍ନ ଭିନ୍ନ ତାରିଖରେ ୧୪ଟି ମୋକଦ୍ଦମା ଦାୟର ହୋଇଛି । ଉକ୍ତ ମାମଲାରେ ସୁବ୍ରତଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କ ନାମ ରହିଛି । ଏନେଇ ଅଭିଯୁକ୍ତମାନଙ୍କୁ ହାଜର ହେବା ନେଇ ଏକାଧିକ ତାରିଖ ଦିଆଯାଇଥିଲେ ହେଁ ସେମାନେ ହାଜର ହୋଇନଥିଲେ । ଫଳରେ ସେମାନଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି । ଅଭିଯୁକ୍ତମାନେ ଆସନ୍ତା ମାସ ୫ ତାରିଖ ସୁଦ୍ଧା କୋର୍ଟରେ ହାଜର ହେବା ନେଇ ସମୟ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ସୁବ୍ରତ ଜମାକାରୀଙ୍କ ଅର୍ଥ ଫେରସ୍ତ ନ କରିବା ମାମଲାରେ ଦୁଇ ବର୍ଷ ପାଇଁ ଜେଲ ଯାଇଥିଲେ । ପରେ ୨୦୧୬ରେ ସେ ପାରୋଲରେ ଆସିଥିଲେ । ଏହି ମାମଲାରେ ସୁବ୍ରତଙ୍କ ଉପରେ ସେବି ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା ।