fbpx

ଭାରତୀୟ ସୀମାରେ ପାକିସ୍ତାନୀ ସୁଡ଼ଙ୍ଗ,ଅନୁପ୍ରବେଶ ପାଇଁ ଖୋଳିଥିଲେ ଆତଙ୍କୀ ! ସନ୍ଦିଗ୍ଧ ଟନେଲ୍‌କୁ ଚିହ୍ନଟ କଲେ ଭାରତୀୟ ଯବାନ

ଶ୍ରୀନଗର, : ଯେତେ ଯାହା କଲେ ମଧ୍ୟ ପାକିସ୍ତାନର ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ ଘଟୁ ନାହିଁ କିମ୍ବା ଚିତ୍ର ଓ ଚରିତ୍ର ବଦଳିବାର ନାଁ ଧରୁନାହିଁ । ପାକ୍‌ ତାଲିମପ୍ରାପ୍ତ ଆତଙ୍କବାଦୀମାନେ ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ଅନୁପ୍ରବେଶ କରି ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଭିଆଇବାରେ ଲାଗିଛନ୍ତି । ପାକିସ୍ତାନ ସରକାର ତାଲିମପ୍ରାପ୍ତ ଆତଙ୍କବାଦୀଙ୍କୁ ଭାରତ ଭିତରକୁ ପଠାଇ ହିଂସା ସୃଷ୍ଟି କରିବାକୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ଆତଙ୍କବାଦକୁ ନେଇ ପାକିସ୍ତାନ ବିଶ୍ୱ ଦରବାରରେ ବାରମ୍ବାର ନିନ୍ଦିତ ହେଉଥିଲେ ମଧ୍ୟ ଏଥିରୁ ଓହରିବାର ନାଁ ଧରୁନାହିଁ । ଏହିକ୍ରମରେ ଗୁରୁବାର ସକାଳେ ଭାରତୀୟ ସୀମାରୁ ଏକ ପାକିସ୍ତାନୀ ସୁଡ଼ଙ୍ଗ ଠାବ କରାଯାଇଛି । ଭାରତୀୟ ସୀମାରୁ ଏହି ସୁଡ଼ଙ୍ଗ ପାକିସ୍ତାନକୁ ଲମ୍ବିଛି । ଜମ୍ମୁ-କାଶ୍ମୀର ସୀମା ନିକଟ ଶାମ୍ବା ବର୍ଡରରୁ ଏହି ସନ୍ଦିଗ୍ଧ ସୁଡ଼ଙ୍ଗର ସନ୍ଧାନ ମିଳିଛି । ବିଏସ୍‌ଏଫ୍‌ ଜବାନମାନେ ଏହାକୁ ଠାବ କରିଛନ୍ତି ।

ଗୁରୁବାର ଚାକଫାକିରାର ଆଉଟ୍‌ପୋଷ୍ଟ ଅଞ୍ଚଳରେ ଯବାନମାନେ ଏହି ସନ୍ଦିଗ୍ଧ ଟନେଲ୍‌କୁ ଚିହ୍ନଟ କରିଛନ୍ତି । ଜମ୍ମୁ ବିଏସ୍‌ଏଫ୍‌ର ଡେପୁଟି ଆଇଜି ଏସ୍‌.ପି.ସାନ୍ଧୁ କହିଛନ୍ତି ଯେ, ଶାମ୍ବାରେ ଥିବା ୱାଡ ନିକଟରେ ଏକ ସାଧାରଣ ଅଞ୍ଚଳରୁ ଏହି ସୁଡ଼ଙ୍ଗ ଠାବ କରାଯାଇଛି । ଏହି ସନ୍ଦିଗ୍ଧ ଟନେଲ୍‌ର କିଛି ଫଟୋ ସେୟାର କରି ଶ୍ରୀ ସାନ୍ଧୁ କହିଛନ୍ତି ଯେ, ଅନ୍ଧକାର ଯୋଗୁଁ ସୁଡ଼ଙ୍ଗ ସମ୍ପର୍କରେ ବିସ୍ତୃତ ସନ୍ଧାନ କରାଯାଇପାରି ନାହିଁ । ଖୁବ୍‌ ଶୀଘ୍ର ଏନେଇ ଥିବା ରହସ୍ୟର ଉନ୍ମୋଚନ କରାଯିବ ।

ସେ ଆହୁରି କହିଥିଲେ ଯେ, ଦେଢ଼ବର୍ଷରୁ କମ୍‌ ସମୟ ମଧ୍ୟରେ ସୀମାରୁ ମିଳିଥିବା ଏହା ହେଉଛି ୫ମ ସୁଡ଼ଙ୍ଗ । ଏହି ସୁଡ଼ଙ୍ଗର ବ୍ୟବହାର ଆତଙ୍କବାଦୀ ସଂଗଠନ ଜୈସ-ଇମହ ମ୍ମଦ ୨ଟି ଆତ୍ମଘାତୀ ବିସ୍ଫୋରଣ ଘଟାଇବା ପାଇଁ ବ୍ୟବହାର କରିଥିବା ସନ୍ଦେହ କରାଯାଉଛି । ଜମ୍ମୁର ସୁଞ୍ଜୱା ଅଞ୍ଚଳରେ ଗତ ଏପ୍ରିଲ ୨୨ରେ ହୋଇଥିବା ଏକ ଏନ୍‌କାଉଣ୍ଟର ପରେ ଅନ୍ତର୍ଜାତୀୟ ସୀମାରେ ଥିବା କୌଣସି ବି ଟନେଲ୍‌ର ଚିହ୍ନଟ କରିବା ପାଇଁ ବିଏସ୍‌ଏଫ୍‌ ବଡ଼ଧରଣର ଅପରେସନ ଆରମ୍ଭ କରିଛି । ମିଳିଥିବା ସୁଡ଼ଙ୍ଗଟି ଆଇବିର ୧୫୦ ମିଟର ଦୂରରେ ଏବଂ ସୀମାର ବାଡ଼ ଠାରୁ ୫୦ ମିଟର ଦୂରରେ ରହିଛି । ଏହି ସୁଡ଼ଙ୍ଗକୁ ଭାରତ ପଟରୁ ୯୦୦ ମିଟର ଦୂରରେ ଥିବା ପାକିସ୍ତାନୀ ପୋଷ୍ଟ ସମ୍ମୁଖରୁ ଚିହ୍ନଟ କରାଯାଇଛି ।

Get real time updates directly on you device, subscribe now.