fbpx

‘ହିମ୍ମତ ହୈ ତୋ ଲଢ଼ କର ଦିଖାଇଏ’: ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କଲେ ସାଂସଦ ନବନୀତ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ହନୁମାନ ଚାଳିଶା ବିବାଦକୁ ନେଇ ଗିରଫ ଯାଇଥିବା ସାଂସଦ ନବନୀତ ରାଣା ଇତିମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ତେବେ ହସ୍ପିଟାଲରୁ ଘରକୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପୁନର୍ବାର ଟାର୍ଗେଟ୍ କରିଛନ୍ତି ନବନୀତ । ଯଦି ଦମ୍ ଅଛି ତେବେ ମୋ ସହିତ ମୁଖ୍ୟମନ୍ତ୍ରୀ ଯେ କୌଣସି ସ୍ଥାନରୁ ନିର୍ବାଚନ ଲଢ଼ନ୍ତୁ ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି ନବନୀତ ।

ନବନୀତ କହିଛନ୍ତି ଯେ, ହନୁମାନ ଚାଳିଶା ପଢ଼ିବା ପାଇଁ ୧୪ ଦିନ କ’ଣ ମୁଁ ୧୪ ବର୍ଷ ଜେଲ ରହିବାକୁ ରାଜି ଅଛି । ମୁଖ୍ୟମନ୍ତ୍ରୀ ନିଜ କ୍ଷମତାର ଦୁରୁପଯୋଗ କରିଛନ୍ତି । ହନୁମାନ ଓ ରାମଙ୍କ ନାମ ନେଉଥିବା ବ୍ୟକ୍ତିଙ୍କ ଉପରେ ଠାକରେ ସରକାର ହମଲା କରୁଛନ୍ତି । ଅଦାଲତ ଯେଉଁ ରାୟ ଶୁଣାଇଛନ୍ତି ତାହାକୁ ମୁଁ ସମ୍ମାନ କରିବି । ଏଥିସହ ମୋ ପ୍ରତି ଯେଉଁ ଅନ୍ୟାୟ ଓ ଅତ୍ୟାଚାର ହୋଇଛି, ତା’ ବିରୋଧରେ ମୁଁ ଆପତ୍ତି ଉଠାଇବି ।

ହସ୍ପିଟାଲରୁ ଫେରିବା ସମୟରେ ନବନୀତଙ୍କ ହାତରେ ହନୁମାନ ଚାଳିଶା ରହିଥିବା ଦେଖିବାକୁ ମିଳିଥିଲା । ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଆମ ଉପରେ ଚାପ ପ୍ରୟୋଗ କରୁଛନ୍ତି । ସେ ରାଜ୍ୟର କୌଣସି ଜିଲ୍ଲାକୁ ଆଦୌ ଗସ୍ତ କରନ୍ତି ନାହିଁ । ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବୋଲି ଜଣାପଡ଼ୁନି । ଆସନ୍ତା ନିଗମ ନିର୍ବାଚନରେ ମୁଁ ଜନତାଙ୍କ ପାଖକୁ ନିଜ ଶକ୍ତି, ସାମର୍ଥ୍ୟ ନେଇ ଯିବି । ସୂଚନାଯୋଗ୍ୟ ଯେ, ଧାର୍ମିକ ଭାବନାକୁ ଆଘାତ ଦେବା ମାମଲାରେ ନବନୀତ ଓ ତାଙ୍କ ସ୍ୱାମୀ ରବିଙ୍କୁ ଗତ ମାସ ୨୪ ତାରିଖରେ ମୁମ୍ବାଇ ପୋଲିସ ଗିରଫ କରିଥିଲା । ଏହା ପରେ ଗତ ୪ ତାରିଖରେ ରାଣା ଦମ୍ପତିଙ୍କୁ କୋର୍ଟରୁ ଜାମିନ ମିଳିଥିଲା ।

Get real time updates directly on you device, subscribe now.