fbpx

ଦାଉଦ୍ ଇବ୍ରାହିମର ସମ୍ପର୍କୀୟଙ୍କ ବିଷୟରେ ମିଳିଲା ସୂଚନା: ମୁମ୍ବାଇର ୨୦ଟି ସ୍ଥାନରେ ରେଡ୍ କଲା ଏନ୍ଆଇଏ

ନୂଆଦିଲ୍ଲୀ: ଭାରତ ଛାଡି ପଳାୟନ କରିଥିବା ତଥା ଡି କମ୍ପାନୀ ମୁଖ୍ୟ ଦାଉଦ୍ ଇବ୍ରାହିମର ସମ୍ପର୍କୀୟଙ୍କ ବିଷୟରେ ସୂଚନା ମିଳିବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) । ଦାଉଦର ସମ୍ପର୍କୀୟଙ୍କ ବିଷୟରେ ସୂଚନା ମିଳିବା ପରେ ମୁମ୍ବାଇର ପ୍ରାୟ ୨୦ଟି ସ୍ଥାନରେ ଏନ୍ଆଇଏ ପକ୍ଷରୁ ଚଢାଉ କରାଯାଇଛି । ବାନ୍ଦ୍ରା, ନାଗପାଡା, ବୋରିଭୋଲି, ଗୋରେଗାଓଁ, ପରେଲ, ସାଣ୍ଟାକ୍ରୁଜରେ ଥିବା ବିଭିନ୍ନ ସାର୍ପଶୁଟର, ଡ୍ରଗ୍ସ ବେପାରୀ, ହୱାଲା ଅପରେଟର ଏବଂ ରିୟଲ ଇଷ୍ଟେଟ୍ ମ୍ୟାନେଜରଙ୍କ ଉପରେ ଚଢାଉ କରାଯାଇଛି । ଏମାନେ ସମସ୍ତେ ଦାଉଦ୍ ଇବ୍ରାହିମ୍ ପାଇଁ କାମ କରୁଥିଲେ ।

ଫେବୃୟାରୀ ମାସରେ ଏନ୍ଆଇଏ ପକ୍ଷରୁ ନୂତନ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଏହି ମାମଲାରେ ଅନେକ ଶୀର୍ଷସ୍ତରୀୟ ନେତାଙ୍କ ସମ୍ପୃକ୍ତିର ଅଭିଯୋଗ ଆସିଥିବା ବେଳେ ଆତଙ୍କବାଦୀଙ୍କୁ ଅର୍ଥଯୋଗାଣର ଅଭିଯୋଗ ମଧ୍ୟ ହୋଇଥିଲା । ଏନ୍ଆଇଏ ପକ୍ଷରୁ ୟୁଏପିଏ(ଦେଶଦ୍ରୋହର ମାମଲା) ମଧ୍ୟ ରୁଜୁ କରାଯାଇଛି ।

ଏହି ତଦନ୍ତ ସମୟରେ ଦାଉଦର ସହଯୋଗୀ ଛୋଟା ସକିଲ୍, ଜାଭେଦ୍ ଚିକନା, ଟାଇଗର ମେନନ୍, ଇକବାଲ ମିର୍ଚି ଏବଂ ଭଉଣୀ ହସିନା ପାର୍କରକୁ ମଧ୍ୟ ତଦନ୍ତରେ ସାମିଲ କରାଯିବ ବୋଲି ଗୃହ ବିଭାଗ ପକ୍ଷରୁ ସୂଚନା ମିଳିଛି । ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣର ମାମଲାର ମୁଖ୍ୟ ଅଭିଯୁକ୍ତ ଦାଉଦ୍ ଇବ୍ରାହିମକୁ ଭାରତ ଏବଂ ଆମେରିକା ପକ୍ଷରୁ ୨୦୦୩ରେ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯାଇଥିଲା । ଏହା ସହିତ ଦାଉଦର ମୁଣ୍ଡ ଉପରେ ୨୫ ମିଲିୟନ୍ ଡଲାରର ପୁରସ୍କାର ରାଶି ଘୋଷଣା କରାଯାଇଛି ।

Get real time updates directly on you device, subscribe now.