fbpx

ଦର୍ଶକଙ୍କୁ ମିଳି ନ ପାରେ ଅନୁମତି: ବାରବାଟୀ ଷ୍ଟାଡିୟମରେ ନାହିଁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର

କଟକ: ଆସନ୍ତା ମାସ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ । କିନ୍ତୁ ଏହି ସମୟରେ ଷ୍ଟାଡିୟମର ସୁରକ୍ଷା ଓ ଅଗ୍ନି ନିରାପତ୍ତାକୁ ନେଇ ଉଠିଛି ପ୍ରଶ୍ନ । ୪୪ ହଜାର ଦର୍ଶକ ବସିପାରୁଥିବା ଏହି ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ପ୍ରମାଣପାତ୍ର ନଥିବା ରାଜ୍ୟ ଅଗ୍ନିଶମ ନିର୍ଦ୍ଦେଶାଳୟ ପକ୍ଷରୁ ଜଣାଯାଇଛି । କିନ୍ତୁ ଷ୍ଟାଡିୟମ କର୍ତ୍ତୃପକ୍ଷ ଏହି ପ୍ରମାଣପତ୍ର ହାସଲ କରିବାକୁ କୌଣସି ପଦକ୍ଷେପ ନେଉନାହାନ୍ତି । ଫଳରେ ଏହାକୁ ନେଇ ରାଜ୍ୟ ମାନବାଧିକାର କମିଶନ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି ।

ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅତ୍ୟନ୍ତ ଆବଶ୍ୟକୀୟ ସର୍ତ୍ତ ହୋଇଥିବାରୁ ଏ ନେଇ ରିପୋର୍ଟ ଦାଖଲ କରିବାକୁ କଟକ ଡିସିପି ଓ ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସମ୍ପାଦକଙ୍କୁ ନୋଟିସ ଜାରି କରିଛନ୍ତି । ହାଇକୋର୍ଟ ଆଡଭୋକେଟ୍ ନିଶିକାନ୍ତ ମିଶ୍ରଙ୍କ ଆବେଦନ ଉପରେ ଶୁଣାଣି କରି ଆସନ୍ତା ୨୬ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କମିଶନର କହିଛନ୍ତି । ଆବେଦନକାରୀ ଶ୍ରୀ ମିଶ୍ର ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ ବାରବାଟୀ ଷ୍ଟାଡିୟମର ବିଲିଡିଂ ସେଫ୍ଟି ଯାଞ୍ଚ କରାଯାଉନାହିଁ, ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନାହିଁ ଓ ବିଦ୍ୟୁତ ବ୍ୟବସ୍ଥା ମଧ୍ୟ ଯାଞ୍ଚ ହୋଇନାହିଁ ।

ବିଭିନ୍ନ ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ ନ କରି ଦର୍ଶକମାନଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ଦେଲେ ବଡ ଧରଣର ବିପଦକୁ ଏଡାଇଦିଆଯାଇ ନପାରେ । ତେବେ କମିଶନର ଏହାକୁ ଗୁରତର ସହ ନେଇ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅଭାବ ଉପରେ ଚିନ୍ତାପ୍ରକଟ କରିଛନ୍ତି । ତେଣୁ ତୁରନ୍ତ ଏ ନେଇ ରିପୋର୍ଟ ଦେବାକୁ ଡିସିପି ଓ ଓସିଏ ସମ୍ପାଦକଙ୍କୁ ନୋଟିସ ଜାରି କରିଛନ୍ତି ।

Get real time updates directly on you device, subscribe now.