fbpx

୭୫ ବର୍ଷ ପରେ କରତାରପୁର ସାହିବରେ ଭାଇ-ଭଉଣୀ ହେଲା ଭେଟଘାଟ, ଭାରତ-ପାକିସ୍ତାନ ବିଭାଜନ ବେଳେ ହୋଇଥିଲେ ଅଲଗା

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ଭାଗ ହେବା ଆମ ସମସ୍ତଙ୍କ ପାଇଁ ଏକ ଶକ୍ତ ଆଘାତ ଥିଲା । ଆଜିବି ଏଭଳି ବହୁ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ମଧ୍ୟରୁ ପରିବାରର କିଛି ସଦସ୍ୟ ଭାରତରେ ତ ଆଉ କିଛ ସଦସ୍ୟ ପାକିସ୍ତାନରେ ରହୁଛନ୍ତି । ଆଉ ଏହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ଆମ ସାମ୍ନାକୁ ଆସିଛି । ଦୀର୍ଘ ୭୫ ବର୍ଷ ପରେ ପାକିସ୍ତାନରେ ରହୁଥିବା ଭଉଣୀ ସହ ଭେଟଘାଟ ହୋଇଛି ଭାରତରେ ରହୁଥିବା ତାଙ୍କ ଭାଇଙ୍କ ସହ । ପଞ୍ଜାବ ପଟିଆଲା ଜିଲ୍ଲା ଶୁତରାଣାର ଗୁରମୀତ ସିଂ ଯେତେବେଳେ ପାକିସ୍ତାନର କରତାରପୁର ସାହିବରେ ତାଙ୍କ ଭଉଣୀ ଗଜ୍ଜୋଙ୍କ ସହ ଭେଟ ହେଲା ସେତେବେଳେ ଭାଇ-ଭଉଣୀଙ୍କ ଆଖିରୁ ଲୁହ ଶୁଖିନଥିଲା । ଏ ଦୁଇଜଣ କେବେ ଭାବିନଥିଲେ କି ସେମାନଙ୍କର ଏ ଜନ୍ମରେ ଆଉ ସାକ୍ଷାତ ହେବ ।

୧୯୪୭ ମସିହାରେ ସେଖବା ଗ୍ରାମରେ ଗୁରମୀତ ସିଂ ଓ ଗଜ୍ଜୋଙ୍କ ପରିବାର ରହୁଥିଲେ । ଅଚାନକ ଭାରତ-ପାକିସ୍ତାନ ଭାଗ ଭାଗ ହୋଇଯିବାରୁ ସେଖବା ଗ୍ରାମଟି ପାକିସ୍ତାନକୁ ଚାଲିଯାଇଥିଲା । ଭାଗବଣ୍ଟା ସମୟରେ ସବୁଠି ରକ୍ତର ସୁଅ ଛୁଟିଥିଲା । ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ତୀବ୍ର ଗଣ୍ଡଗୋଳ ଓ ହଣାକଟା ଯୋଗୁଁ ଲୋକେ ପ୍ରାଣ ବିକଳରେ ନିଜ ଜନ୍ମସ୍ଥାନ ଛାଡ଼ି ଚାଲିଯାଉଥିଲେ । ସେହି ସମୟରେ ଗଜ୍ଜୋଙ୍କ ମା’କୁ ଦୁର୍ବୃତ୍ତମାନେ ହତ୍ୟା କରିଦେବାରୁ ଗଜ୍ଜୋ ମା’ ଶବ ନିକଟରେ କଇଁ କଇଁ କାନ୍ଦୁଥିବାବେଳେ ଗୁରମୀତ୍‌ ଭାରତକୁ ପଳାଇ ଆସିଥିଲା । ପରେ ଉଭୟ ଉଭୟଙ୍କୁ ଖୋଜୁଥିଲେ ବି କେହି କାହାରିକୁ ପାଇନଥିଲେ ଓ ଉଭୟ ଉଭୟଙ୍କୁ ହତ୍ୟାର ଶିକାର ହୋଇ ମୃତ୍ୟୁ ହୋଇଯାଇଥିବ ବୋଲି ଭାବି ନେଇଥିଲେ । ଆଉ ଛୋଟ ଭଉଣୀ ଗଜ୍ଜୋଙ୍କୁ ମୁବାରକ ଅଲ୍ଲୀ ଓରଫ୍‌ ମୋହମ୍ମଦ ଇକବାଲ ନାମକ ଜଣେ ବ୍ୟକ୍ତି କୋଳେଇ ନେଇଥିଲେ ।

ମୁକାରବ ଅଲ୍ଲୀ ଓ ତାଙ୍କ ପତ୍ନୀ ବେଗମ୍‌ ଅଲ୍ଲାହରଖୀ ଗଜ୍ଜୋଙ୍କ ଜୀବନ ବଞ୍ଚାଇବା ସହ ସାଥିରେ ଶେଖୁୁରା ନେଇଯାଇ ସେଠାରେ ତାଙ୍କ ଝିଅଭଳି ଲାଳନ ପାଳନ କରିଥିଲେ । ଗଜ୍ଜୋରୁ ସେ ପାଲଟିଯାଇଥିଲା ମୁମତାଜ ବେଗମ୍‌ । ଏବେ ଦୀର୍ଘ ୭୫ ବର୍ଷ ପରେ କରତାରପୁର ସାହିବରେ ଭାଇ-ଭଉଣୀଙ୍କ ଭେଟ ହେବା ପରେ ମୁମତାଜ ବେଗମ୍‌ ଭାରତ ଆସିବା ପାଇଁ ପାକିସ୍ତାନରେ ଭିସା ଆବେଦନ କରିସାରିଥିବା ତାଙ୍କ ଭାଇ ଗୁରମୀତ ପ୍ରକାଶ କରିଛନ୍ତି । ଦୀର୍ଘବର୍ଷ ପରେ ଭଉଣୀର ଘରବାହୁଡ଼ାକୁ ଭାଇ ଗୁରମୀତ ଚାତକ ପରି ଚାହିଁରହିଛି ।

Get real time updates directly on you device, subscribe now.