fbpx

ମୋଦୀଙ୍କର ଆଠବର୍ଷ ଶାସନ, ନୋଟବନ୍ଦୀଠାରୁ କରୋନା ମହାମାରୀ ଯାହା କେନ୍ଦ୍ର ସରକାରଙ୍କୁ ଠିଆ କରିଛି ପ୍ରଶ୍ନ ଘେରରେ

ନୁଆଦିଲ୍ଲୀ: ଭାରତୀୟ ରାଜନୀତିରେ ଏକ ନୂଆ ମୋଡ ନେଇଥିଲା ଯେତେବେଳେ ୨୬ ମେ ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଥମ ଥର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ଲୋକେ ବାରବାମ୍ବାର ତାଙ୍କ ଉପରେ ବିଶ୍ୱାସ କରିଥିଲେ,କିନ୍ତୁ ଗତ ଆଠ ବର୍ଷରେ ମୋଦୀଙ୍କ ନେତୃତ୍ୱାଧିନ ସରକାର ବିଭିନ୍ନ ସପଳତା ହାସଲ କରିଥିଲେ ମଧ୍ୟ ବିଭିନ୍ନ ବିଷୟକୁ ନେଇ ବିବାଦ ଘେରରେ ରହିଛି ।

ବିଜେପି ନେତୃତ୍ୱରେ ରାଷ୍ଟ୍ରିୟ ଜନତାନ୍ତ୍ରିକ ଗଠବନ୍ଧନ(ଏନଡିଏ) ମେ ୨୬ରେ ମୋଦୀ ସରକାରଙ୍କ କାର୍ଯ୍ୟକାଳ ଆଠ ବର୍ଷ ପୁରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କହିବା ମୁତାବକ ତାଙ୍କର ଏପର୍ଯ୍ୟନ୍ତ କାର୍ଯ୍ୟକାଳ ଦେଶର ବିକାଶ, ସାମାଜିକ ନ୍ୟାୟ ଏବଂ ସାମାଜିକ ସୁରକ୍ଷା ପାଇଁ ସମର୍ପିତ ।

ଗତ ସପ୍ତାହରେ ବିଜେପି ଜାତୀୟ କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି: “ଏହି ମାସରେ ଏନଡିଏ ସରକାର ଆଠ ବର୍ଷ ପୂରଣ କରିବେ। ଏହି ଆଠ ବର୍ଷ ସଂକଳ୍ପ ଏବଂ ସଫଳତା ଅଟେ । ଏହି ଆଠ ବର୍ଷ ଗରିବଙ୍କ ସେବା, ଉତ୍ତମ ଶାସନ ଏବଂ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ।”

ଗତ ଆଠବର୍ଷରେ ମୋଦୀ ସରକାର ଅର୍ଥବ୍ୟବସ୍ଥା, ସ୍ୱାସ୍ଥ୍ୟ ଏବଂ ସାମାଜିକ ସୁରକ୍ଷା ଭଳି ମାମଲାରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଖରେ ସିଧା ସଳଖ ସୁବିଧା ପହଞ୍ଚାଇବା ପାଇଁ ବିଭିନ୍ନ ଜୋଜନା ସଫଳତାପୁର୍ବକ କାର୍ଯ୍ୟକାରୀ କରିଛନ୍ତି । ତେବେ ଏହି ସମୟରେ ସରକାର ନିଜର ପ୍ରତିଜ୍ଞା ପୁରଣ କରିବା ଲାଗି ନେଇଥିବା ବିଭିନ୍ନ ନିଷ୍ପତ୍ତିର ବିରୋଧୀ ସମାଲୋଚନା କରିବା ସହ ଲୋକଙ୍କ ସମର୍ଥନ ମଧ୍ୟ ପାଇଛନ୍ତି।

ଆସନ୍ତୁ ଆଜି ଆମେ ୮ ବର୍ଷରେ ମୋଦୀ ସରକାରଙ୍କ ୮ ଟି ବଡ ଏବଂ ବିବାଦୀୟ ନିଷ୍ପତ୍ତି ବିଷୟରେ ଆଲୋଚନା କରିବା।

୧.ନୋଟବନ୍ଦୀ: କେନ୍ଦ୍ରରେ ସରକାରକୁ ଆସିବା ପରେ ମୋଦୀ ସରକାରଙ୍କର ସବୁଠାରୁ ବଡ ନିଷ୍ପତ୍ତି ଦୁଇ ବର୍ଷ ପରେ 8 ନଭେମ୍ବର 2016 ରେ ଆସିଥିଲା ​​ଯେତେବେଳେ ଭାରତ ସରକାର ସମସ୍ତ 500 ଏବଂ 1000 ଟଙ୍କିଆ ନୋଟ ବିମୁଦ୍ରୀକରଣ ଘୋଷଣା କରିଥିଲେ। ସରକାରଙ୍କ ଏହି ନିଷ୍ପତ୍ତିକୁ ବିମୁଦ୍ରୀକରଣ କୁହାଯାଉଥିଲା। ବିମୁଦ୍ରୀକରଣ ପରେ ଅନେକ ମାସ ଧରି ଦେଶର ଲୋକମାନେ ପୁରୁଣା ନୋଟ ବଦଳାଇବା ପାଇଁ ବିଶୃଙ୍ଖଳା ପରିସ୍ଥିତିରେ ବ୍ୟାଙ୍କରେ ଧାଡିରେ ଠିଆ ହୋଇଥିବା ଦେଖାଯାଇଥିଲା। ପୁରୁଣା ନୋଟ୍ ଜମା କରିବା ଏବଂ ନୂଆ ନୋଟ୍ ପାଇବା ପାଇଁ ଲୋକଙ୍କୁ ବ୍ୟାଙ୍କରେ ଲମ୍ବା ଲାଇନରେ ଛିଡା ହେବାକୁ ପଡିଲା।

ତେବେ ବିମୁଦ୍ରୀକରଣକୁ ନେଇ ସରକାରଙ୍କୁ ଆଡୁଆରେ ପକାଇଥିଲେ ବିରୋଧୀ। କାରଣ ବିମୁଦ୍ରିକାରଣ ପରେ ପ୍ରାୟ 99 ପ୍ରତିଶତ ଟଙ୍କା ସରକାରଙ୍କ ପାଖକୁ ଫେରି ଆସିଥିଲା ଏବଂ ଏହା ପ୍ରଭାବରେ ବଜାରରେ ମାନ୍ଦାବସ୍ତା ମଧ୍ୟ ଆସିଥିଲା। ଯାହା ବିମୁଦ୍ରିକାରଣ ସରକାରଙ୍କ ଏକ ବିଫଳତା ବୋଲି ବିରୋଧୀ କହିଥିଲେ।

2. ଜିଏସଟି: ଜିଏସଟି ଆଇନ ପ୍ରଣୟନ କରିବା ମୋଦୀ ସରକାରଙ୍କ ପାଇଁ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ଥିଲା। ତେବେ ଏହା ହେଉଛି ଏହି ସରକାରଙ୍କ ସବୁଠାରୁ ବଡ ନିଷ୍ପତ୍ତି। ଦ୍ରବ୍ୟ ଏବଂ ସେବା କର ଆଇନ 29 ମାର୍ଚ୍ଚ 2017 ରେ ସଂସଦରେ ପାରିତ ହୋଇଥିଲା ଏବଂ 1 ଜୁଲାଇ 2017 ରେ ଲାଗୁ ହୋଇଥିଲା।

ତେବେ ଜିଏସଟି ଲାଗୁ ହେବ ପରେ ଏହା ଦେଶରେ କ୍ଷୁଦ୍ର ଶିଳ୍ପ ଗଭୀର ଭାବରେ ପ୍ରଭାବିତ ହୋଇଥିଲା। ଯାହା ଦେଶର ଜିଡିପି ଉପରେ ପ୍ରଭାବ ପକାଇଥିଲା। ଏହାପରେ ସରକାର ସଫଳ ଭାବରେ ଲାଗୁ କରିବାରେ ବିଫଳ ହୋଇଥିବା ବିରୋଧୀ କହିଥିଲେ।

3. ଟ୍ରିପଲ୍ ତାଲାକ୍: ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ସଫଳତା ହେଉଛି ସଂସଦରେ ଟ୍ରିପଲ୍ ତାଲାକ୍ ବିଲ୍ ପାସ୍। ଏହା ଏକ ନିୟମ ଯାହା ତତକ୍ଷଣାତ୍ ତ୍ରିଗୁଣ ତଲାକକୁ ଅପରାଧୀକ ଅପରାଧ କରିଥିଲା। ଟ୍ରିପଲ୍ ତାଲାକ୍ ଆକ୍ଟ, ଆନୁଷ୍ଠାନିକ ଭାବରେ ମୁସଲିମ୍ ମହିଳା (ସଂରକ୍ଷଣ ଅଧିକାର ଉପରେ ବିବାହ) ଅଧିନିୟମ, 2019 କୁହାଯାଏ। ସଂସଦରେ ତୀବ୍ର ବିତର୍କ ପରେ ଏହା ଅଗଷ୍ଟ 1, 2019 ରେ ପାରିତ ହୋଇଥିଲା। ତ୍ରିଗୁଣ ତଲାକ ଉପରେ ଏକ ଆଇନ ଆଣିବାକୁ ମୋଦୀ ସରକାରଙ୍କ ନିଷ୍ପତ୍ତି ମଧ୍ୟ ଅନେକ ବିବାଦରେ ରହିଥିଲା। କିନ୍ତୁ ଏକ ବଡ଼ ବିଭାଗ ଏହାକୁ ସମର୍ଥନ କଲା। ଏହି ବିବାଦୀୟ ନିଷ୍ପତି ସରକାରଙ୍କ ପାଇଁ କଠିନ ଥିଲା କାରଣ ସମସ୍ତ ବିରୋଧୀ ଏହା ବିରୋଧରେ ଥିଲେ ।

4. ଧାରା 370: ଏକ ବଡ ପଦକ୍ଷେପ ଗ୍ରହଣ କରି ମୋଦୀ ସରକାର 5 ଅଗଷ୍ଟ 2019 ରେ ଜମ୍ମୁ-କଶ୍ମୀର ପାଇଁ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ଧାରା 370 ଏବଂ ଧାରା 35-ର ବ୍ୟବସ୍ଥାକୁ ରଦ୍ଦ କରିଦେଇଥିଲେ। ଧାରା 370 ର ନିୟମାବଳୀ ଅନୁଯାୟୀ, ଜାମ୍ମୁ କାଶ୍ମୀର ସମ୍ବନ୍ଧରେ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଏବଂ ଯୋଗାଯୋଗ ସମ୍ବନ୍ଧରେ ଆଇନ ପ୍ରଣୟନ କରିବାର ସଂସଦର କ୍ଷମତା ଅଛି, କିନ୍ତୁ ଅନ୍ୟ କୌଣସି ବିଷୟ ସହ ଜଡିତ ଆଇନ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ରାଜ୍ୟ ସରକାରଙ୍କ ଅନୁମୋଦନ ଆବଶ୍ୟକ କରୁଥିଲା।

5.CAA ଆଇନ: ମୋଦୀ ସରକାର ନେଇଥିବା ନିଷ୍ପତ୍ତିରେ CAA ଆଇନ ଆଣିବା ନେଇ ବହୁତ ବିବାଦ ଲାଗି ରହିଥିଲା। 2019 ରେ ସଂସଦରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନାଗରିକତା (ସଂଶୋଧନ) ଆଇନ ପାରିତ ହୋଇଥିଲା। ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଆସିଥିବା ସମ୍ପ୍ରଦାୟର (ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ, ଜୈନ, ବୌଦ୍ଧ ଏବଂ ପାର୍ସୀ) ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବା ଏହି ବିଲ୍‌ର ଉଦ୍ଦେଶ୍ୟ। ଏଥିରେ ମୁସଲମାନ ସମ୍ପ୍ରଦାୟକୁ ବାଦ ଦିଆଯାଇଛି। ଏହା ପଛରେ ଥିବା ଯୁକ୍ତି ଦିଆଯାଇଛି ଯେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ମୁସଲମାନ ଜନସଂଖ୍ୟା ସଂଖ୍ୟାଗରିଷ୍ଠ। ଏହି ଆଇନ୍ କୁ ନେଇ ଦେଶରେ ବିବାଦ ଆରମ୍ଭ ହୋଇଥିଲା। ଏପରିକି ଆସାମରେ ଦଙ୍ଗା ପରି ସ୍ଥିତି ସୃଷ୍ଟି ହୋଇଥିଲା।

6.ବେରୋଜଗାରୀ ରିପୋର୍ଟ: ମୋଦୀ ସରକାର ସମୟରେ ଗତ ୪୫ ବର୍ଷରେ ବେରୋଜଗାରୀ ସର୍ବକାଳିନ ସ୍ଥରରେ ପହଞ୍ଚିଛି । ସେହିଭଳି ଦେଶରେ ଅତ୍ୟାବଶ୍ୟକ ଜିନିଷର ଦରଦାମ୍ ଅହେତୁକ ବୃଦ୍ଧି ସାଙ୍ଗକୁ ଡଲାର ତୁଳନାରେ ଟଙ୍କା ମଧ୍ୟ ସର୍ବକାଳିନ ସ୍ଥରରେ ପହଞ୍ଚିଛି । ଏଭଳି ସମୟରେ ଦେଶର ଅର୍ଥବ୍ୟବସ୍ଥା ସଂଘର୍ସ କରୁଥିବା ଭଳି ରିପୋର୍ଟ କଂଗ୍ରେସ ଉପସ୍ଥାପନ କରିବ ବୋଲି ଜାତୀୟ ଗଣମାଧ୍ୟରେ ଖବର ପ୍ରକାଶ ପାଇଛି ।

7.ଭାରତ-ଚୀନ ସୀମା ବିବାଦ: ଏହା ସହିତ ଚାଇନ ଭାରତ ସୀମାରେ ପ୍ରବେଶ କରିବା ଘଟଣା ମଧ୍ୟ ଗୁରୁତ୍ୱପୁର୍ଣ୍ଣ ଅଟେ । ଏହାକୁୟ ସରକାରଙ୍କ ଏକ ସବୁଠୁ ବଡ଼ ବିଫଳତା ଭାବରେ କଂଗ୍ରେସ ଗଣନା କରୁଛି ।

8.କୋରନା ମୃତ୍ୟୁ ତାଲିକା: ତେବେ ମୋଦୀ ସରକାରଙ୍କ କାର୍ଯ୍ୟକାଳରେ ସବୁଠୁ ବଡ଼ ଚ୍ୟାଲେଞ୍ ଥିଲା କରୋନା ମହାମାରୀ। ଦେଶରେ କରୋନାର ଦ୍ୱିତୀୟ ଲହରୀ ସମୟରେ ଦୈନିକ ୪ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଲୋକଙ୍କୁ ମେଡିକାଲରେ ବେଡ୍ ମିଳି ନଥିଲା । ଏହା ସହିତ କରୋନାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ତାଲିକା ସରକାର ଲୁଚାଇବାକୁ ଚେଷ୍ଟା କରୁଥିବା ବିରୋଧୀ ଅଭିଯୋଗ କରିଥିଲେ। ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଭାରତ ସରକାରଙ୍କ କରନା ମୃତ୍ୟୁ ତାଲିକାକୁ ନେଇ ପ୍ରଶ୍ନ ଉଠାଇ ଥିଲା।

Get real time updates directly on you device, subscribe now.