fbpx

ପିତାମାତାଙ୍କୁ ନିର୍ଯ୍ୟାତନା ଦେଉଥିବା ପିଲା ଏଣିକି ସମ୍ପତ୍ତିରୁ ହେବେ ବିଦା: କୋର୍ଟଙ୍କ ଐତିହାସିକ ନିଷ୍ପତ୍ତି

ନୂଆଦିଲ୍ଲୀ: ପିତାମାତାଙ୍କର ସେବା କରିବା ବଦଳରେ ତାଙ୍କୁ ହଇରାଣ କରୁଥିବା ପିଲାମାନେ ଏବେ ସତର୍କ ହୋଇଯାଅ । ହରିଦ୍ୱାର ଏସଡିଏମ କୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି, ଯେଉଁଥିରେ ୬ ବୟସ୍କଙ୍କ ପିଲାଙ୍କୁ ମାତାପିତାଙ୍କ ସମ୍ପତ୍ତିରୁ ବାହାର କରାଯାଇଛି ଓ ଗୋଟିଏ ମାସ ଭିତରେ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୋର୍ଟଙ୍କ ନିର୍ଦ୍ଦେଶ ପାଳନ ନହୁଏ, ତେବେ ଆବଶ୍ୟକ ପଦକ୍ଷେପ ନେବାକୁ ପୋଲିସ ପ୍ରଶାସନକୁ କୁହାଯାଇଛି ।

ପିତାମାତା ଏବଂ ବରିଷ୍ଠ ନାଗରିକ ଅଧିନିୟମ ରକ୍ଷଣାବେକ୍ଷଣ ଏବଂ କଲ୍ୟାଣ ଅନୁସାରେ, ଯେକୌଣସି ବ୍ୟକ୍ତି ତାଙ୍କ ପିଲାମାନଙ୍କ ବିରୋଧରେ ଏସଡିଏମ କୋର୍ଟରେ ମକଦ୍ଦମା ଦାୟର କରିପାରିବେ । ଅଧିନିୟମର ଧାରା ଅଧିନରେ ଏସଡିଏମଙ୍କ ପକ୍ଷରୁ ଶୁଣାଣି ପରେ ପିଲାମାନଙ୍କୁ ତାଙ୍କ ସମ୍ପତ୍ତିରୁ ବିଦା କରାଯାଇଛି । ୬ ବୟସ୍କଙ୍କ ଦ୍ୱାରା ଏସଡିଏମ କୋର୍ଟରେ ମକଦ୍ଦମା ଦାୟର ହୋଇଥିଲା ।

ବୁଧବାର ଦିନ ଏସଡିଏମ ପୁରଣ ସିଂ ରାଣା ଏହି ମାମଲାର ଶୁଣାଣି କରୁଥିଲେ । ସୂଚନା ଅନୁସାରେ, ଜ୍ୱାଲାପୁର, କନଖଲ ଏବଂ ରାୱଲୀ ମହଦୁଦର ବୟସ୍କମାନଙ୍କ ପକ୍ଷରୁ ଏହି ମକଦ୍ଦମା ଦାୟର ହୋଇଥିଲା । ପିଲାମାନେ ସେମାନଙ୍କ ସହ ରହୁଛନ୍ତି, କିନ୍ତୁ ସେମାନଙ୍କର କୌଣସି ସେବା କରୁନାହାନ୍ତି କି ଖାଇବାକୁ ଦେଉନାହାନ୍ତି ବୋଲି ବୟସ୍କମାନେ ଦର୍ଶାଇଥିଲେ । ଏହା ସହ ସେମାନେ ମାରପିଟ୍ କରି ନିର୍ଯ୍ୟାତନା ଦେଉଥିଲେ । ଫଳରେ ସେମାନଙ୍କର ବୃଦ୍ଧାବସ୍ଥା ନର୍କରେ ପରିଣତ ହୋଇଛି ।

ଏପରି ପରିସ୍ଥିତିରେ ବରିଷ୍ଠ ନାଗରିକମାନେ ନିଜର ସ୍ଥାବର ଅସ୍ଥାବର ସମ୍ପତ୍ତିରୁ ପିଲାଙ୍କୁ ବାହାର କରିବାକୁ ଦାବି କରିଥିଲେ । ବୟସ୍କଙ୍କ ମାମଲାର ଶୁଣାଣି କରି ଏସଡିଏମ ପୁରଣ ସିଂ ସମସ୍ତ ୬ଟି ମାମଲାରେ ପିଲାଙ୍କୁ ନିଜ ପିତାମାତାଙ୍କ ସମ୍ପତ୍ତିରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ୩୦ ଦିନ ମଧ୍ୟରେ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.