fbpx

ଛୋଟ ଉଚ୍ଚତା ପାଇଁ କେବେ ଅଟକି ଯାଇନାହାନ୍ତି IAS ଅଧିକାରୀ ଆରତୀ ଡୋଗ୍ରା

ପୂରଣ କରିଥିଲେ ଆଇଏଏସ ସ୍ୱପ୍ନ, ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ

ନୂଆଦିଲ୍ଲୀ: ଗତକାଲି ପ୍ରକାଶ ପାଇଛି ୨୦୨୧ ମସିହାର ସିଭିଲ ସର୍ଭିସର ଫଳାଫଳ । ଯେଉଁଥିରେ ୬୮୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଆଉ ବନିଛନ୍ତି ଦେଶର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ । ତେବେ ଏହି ସଫଳତାରେ ପହଞ୍ଚିବା ସେମାନଙ୍କ ପାଇଁ ସହଜ ନଥିଲା । ଅନେକ କଠିନ ପରିଶ୍ରମ ପରେ ସେମାନେ ଆଜି ପହଞ୍ଚିଛନ୍ତି ଏହି ସଫଳତାରେ ।

ତେବେ ଆଜି ଏଭଳି ଜଣେ ଆଇଏଏସ ଅଫିସରଙ୍କ ବିଷୟରେ ଜାଣିବା ଯିଏକି ପ୍ରମାଣ କରିଦେଖାଇଛନ୍ତି । ଯେ ଦୃଢ଼ ଇଚ୍ଛାଶକ୍ତି ଏବଂ ନିଷ୍ଠା ଆଗରେ କୌଣସି ବି କାମ ସଫଳ ହୋଇପାରିବ । ସେହି ଆଇଏଏସ ଜଣକ ହେଉଛନ୍ତି ରାଜସ୍ଥାନ କ୍ୟାଡର ୨୦୦୬ ବ୍ୟାଚର ଆଇଏଏସ, ଆରତୀ ଡୋଗ୍ରା । ଦିନେ ତାଙ୍କୁ କମ୍ ଉଚ୍ଚତା କାରଣରୁ ଥଟ୍ଟା ପରିହାସର ସାମ୍ନା କରିବାକୁ ପଡ଼ିଥିଲା । କିନ୍ତୁ ଏହା ପରେ ବି ସେ ହାର ମାନିନଥିଲେ, ବିବ୍ରତ ହୋଇନଥିଲେ, ଆଉ ନିଜର ଦୃଢ଼ ଇଚ୍ଛା ଶକ୍ତି ବଳରେ ବନିଥିଲେ ଆଇଏଏସ ଅଫିସର । ଆସନ୍ତୁ ଜାଣିବା ତାଙ୍କର ଏହି ପ୍ରେରଣାଦାୟୀ କାହାଣୀ ଉପରେ ।

ଉତ୍ତରାଖଣ୍ଡର ଦେହରାଦୁନରେ ଆରତୀ ଡୋଗ୍ରାଙ୍କ ଜନ୍ମ । ତାଙ୍କର ଉଚ୍ଚତା କେବଳ ୩.୫ ଫୁଟ୍ । ତାଙ୍କ ବାପା କର୍ଣ୍ଣେଲ ରାଜେନ୍ଦ୍ର ଏବଂ ମା’ଙ୍କ ନାମ କୁମକୁମ ଡୋଗ୍ରା । ଯେତେବେଳେ ଆରତୀଙ୍କ ଜନ୍ମ ହୋଇଥିଲା, ସେତେବେଳେ ଡାକ୍ତର କହିଥିଲେ ଯେ ସେ ସାମାନ୍ୟ ସ୍କୁଲ ଯାଇପାରିବେ ନାହିଁ । କିନ୍ତୁ ସବୁ ବାଧାକୁ ପାର କରି ଡୋଗ୍ରା ଦେହରାଦୁନର ଏକ ପ୍ରତିଷ୍ଠିତ ବାଳିକା ବିଦ୍ୟାଳୟରେ ନାମ ଲେଖିାଇଥିଲେ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡୀ ଶ୍ରୀରାମ କଲେଜର ଅର୍ଥଶାସ୍ତ୍ରରେ ସ୍ନାତକ କରିଥିଲେ । ପିଲାବେଳୁ ଶାରୀରିକ ଭେଦଭାବର ସାମ୍ନା କରୁଥିବା ଆରତୀ ଡୋଗରା ନିଜର ସାହସ କେବେ ଛାଡ଼ିନଥିଲେ ଏବଂ ପ୍ରଥମ ପ୍ରୟାସରେ ହିଁ ସିଭିଲ ସର୍ଭିସ ସେବା ପରୀକ୍ଷା ପାସ୍ କରିଥିଲେ ।

ଅନେକ ବାଧାନବିଘ୍ନକୁ ପାର କରିବା ପରେ ମହିଳା ଆଇଏଏସ ଅଧିକାରୀ ଆରତି ଡୋଗ୍ରା ଭାରତର ସବୁଠୁ ପ୍ରତିଷ୍ଠିତ ପରୀକ୍ଷା ୟୁପିଏସସି ପାସ କରିଥିଲେ ଏବଂ ୨୦୦୫ରେ ନିଜର ପ୍ରଥମ ପ୍ରୟାସରେ ଏଆଇଆର-୫୬ ସହ ସିଭିଲ ସର୍ଭିସ୍ ପାସ୍ କରିଥିଲେ । ରାଜସ୍ଥାନ କ୍ୟାଡର ୨୦୦୬ ବ୍ୟାଚର ଜଣେ ସମର୍ପିତ ଲୋକ ସେବକ ଭାବରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା । ସେବେଠାରୁ ସେ ରାଜସ୍ଥାନ ସରକାରଙ୍କ ବିଭିନ୍ନ ପଦରେ କାର୍ଯ୍ୟ କରୁଛନ୍ତି ।

ଆରତୀ ଡୋଗ୍ରା ଯୋଧପୁର ବିଦ୍ୟୁତ୍ ବିତରଣ ନିଗମ ଲିମିଟେଡର ପ୍ରବନ୍ଧ ନିର୍ଦ୍ଦେଶକ ଭାବରେ କାମ କରିବାରେ ପ୍ରଥମ ମହିଳା ଆଇଏଏସ ଅଧିକାରୀ । ପ୍ରଶାସନ ନିଜ ପ୍ରଭାବୀ ଅଭିଯାନ ଏବଂ ପ୍ରଦର୍ଶନ ପାଇଁ ସବୁବେଳେ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି । ସ୍ୱଚ୍ଛତା ମିଶନ ନେଇ ତାଙ୍କର ପଦକ୍ଷେପକୁ ରାଜ୍ୟ ସରକାରଙ୍କ ସହ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଶଂସା କରିଛନ୍ତି । ବର୍ତ୍ତମାନ ସେ ରାଜସ୍ଥାନ ଅଜମେରରେ କଲ୍ଟେକର ଭାବରେ କାର୍ଯ୍ୟରତ ।

Get real time updates directly on you device, subscribe now.