fbpx

ରାଜ୍ୟସଭା ନିର୍ବାଚନ: ବିଜେପିକୁ ଚାରୋଟି ସିଟ୍ କ୍ଷତି, ତିନି ଅଙ୍କ ଏବେ ବହୁ ଦୂର

ନୂଆଦିଲ୍ଲୀ: ସଂପନ୍ନ ହୋଇଛି ରାଜ୍ୟସଭା ନିର୍ବାଚନ। ତେବେ କେନ୍ଦ୍ରରେ କ୍ଷମତାସୀନ ବିଜେପି ଯେତିକି ସିଟ୍ ଜିତିବ ବୋଲି ଆଶା କରୁଥିଲା ତାହା ସଫଳ ହୋଇ ନାହିଁ। ଚଳିତ ବର୍ଷ ଏପ୍ରିଲରେ ସଂସଦଦର ଉଚ୍ଚସଦନରେ ବିଜେପିର ସଦସ୍ୟ ସଂଖ୍ୟା ତିନି ଅଙ୍କ ଛୁଇଁଥିଲା। ଏବେ ୫୭ ସିଟରେ ଶୁକ୍ରବାର ସଂପନ୍ନ ଦ୍ଵିବାର୍ଷିକ ରାଜ୍ୟସଭା ନିର୍ବାଚନ ପରେ ବର୍ତ୍ତମାନ ବିଜେପିର ସଦସ୍ୟ ସଂଖ୍ୟା ୯୫ରୁ ୯୧କୁ ଖସି ଆସିଛି। ରାଜ୍ୟସଭାର ଅଧିକାରୀକ ଓ୍ଵେବସାଇଟ୍ ଅନୁଯାୟୀ, କାର‌୍ୟ୍ୟକାଳ ସରୁଥିବା ୫୭ ବିଧାୟକଙ୍କୁ ମିଶାଇ ବର୍ତ୍ତମାନ ଉଚ୍ଚ ସଦନର ମୋଟ୍ ୨୩୨ ସାଂସଦଙ୍କ ମଧ୍ୟରୁ ବିଜେପିର ୯୫ ସଦସ୍ୟ ରହିଛନ୍ତି।

କାର୍ଯ୍ୟକାଳ ସରୁଥିବା ସଦସ୍ୟମାନଙ୍କ ମଧ୍ୟରୁ ବିଜେପିର ୨୬ ସଦସ୍ୟ ସାମିଲ୍। ହେଲେ ନିକଟରେ ସଂପନ୍ନ ନିର୍ବାଚନରେ ଦଳର ୨୨ ସଦସ୍ୟ ବିଜୟ ହାସଲ କରିଛନ୍ତି। ଏହି ପ୍ରକାରରେ ବିଜେପିକୁ ଚାରୋଟି ସିଟ୍ କ୍ଷତି ସହିବାକୁ ପଡିଛି। ନବ ନିର୍ବାଚିତ ସଦସ୍ୟଙ୍କ ଶପଥ ପରେ ବିଜେପିର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୯୫ରୁ ହ୍ରାସ ପାଇ ୯୧ରେ ରହିବ। ଅର୍ଥାତ ପୁଣି ଥରେ ତିନି ଅଙ୍କ ଛୁଇଁବା ପାଇଁ ବିଜେପିକୁ ଆହୁରି ସମୟ ଅପେକ୍ଷା କରିବାକୁ ପଡିବ। ଏବେ ବି ରାଜ୍ୟସଭାରେ ସାତ ମନୋନୀତ ସଦସ୍ୟ ସହିତ ମୋଟ୍ ୧୩ ଖାଲି ପଡିଛି।

ମନୋନୀତ ସଦସ୍ୟଙ୍କ ନିଯୁକ୍ତି ଏବଂ ଖାଲି ସିଟ୍ ପୂରଣ ପରେ ବିଜେପିର ସଦସ୍ୟ ସଂଖ୍ୟା ୧୦୦ ନିକଟତର ହୋଇପାରେ। କାରଣ କିଛି ଅପବାଦକୁ ବାଦ୍ ଦେଲେ ସାଧାରଣତଃ ମନୋନୀତ ସଦସ୍ୟ ନିଜ ମନୋନୟନର ଛଅ ମାସ ଭିତରେ ନିଜକୁ କୌଣସି ଦଳ ସହିତ ସଂପର୍କ ସ୍ଥାପନ କରିଥାନ୍ତି। ବିଶେଷ କରି ଶାସକଦଳ ଆଡକୁ ସେମାନେ ଢଳିଥାନ୍ତି।

ଗତ ଏପ୍ରିଲ ମାସରେ ରାଜ୍ୟସଭା ନିର୍ବାଚନରେ ଆସାମ, ତ୍ରିପୁରା ଏବଂ ନାଗାଲାଣ୍ଡରେ ଗୋଟିଏ ଲେଖାଏଁ ସିଟରେ ବିଜୟ ହାସଲ ପରେ ବିଜେପି ନିଜ ଇତିହାସରେ ପ୍ରଥମ ଥର ଉଚ୍ଚ ସଦନରେ ତିନି ଅଙ୍କ ଛୁଇଁଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ସଭାପତି ଜେପି ନଡ୍ଡା ସହିତ ପାର୍ଟିର ଅନେକ ନେତା ଏହାକୁ ବିଜେପିର ବଡ ଉପଲବ୍ଧି ବୋଲି କହିଥିଲେ।

ରାଜ୍ୟସଭାର ୫୭ ସିଟ୍ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଘୋଷଣା ପରେ ୪୧ ପ୍ରାର୍ଥୀ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଥିଲେ। ଏଥିରେ ବିଜେପିର ୧୪ ପ୍ରାର୍ଥୀ ସାମିଲ୍। ବାକି ୧୬ ସିଟ୍ ଉପରେ ଶୁକ୍ରବାର ନିର୍ବାଚନ ହୋଇଥିଲା। ଏଥିରୁ ବିଜେପି ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ତିନୋଟି ଲେଖାଏଁ, ହରିୟାଣା ଏବଂ ରାଜସ୍ଥାନରେ ଗୋଟିଏ ଲେଖାଏଁ ସିଟ୍ ଜିତିବାରେ ସଫଳ ରହିଛି।

Get real time updates directly on you device, subscribe now.