fbpx

ଓୱେସୀଙ୍କୁ ଗିରଫ ପାଇଁ ଦାୟର ହେଲା ମାମଲା, ପୁରୀ ଶ୍ରୀମନ୍ଦିରକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପଡ଼ିଲା ମହଙ୍ଗା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିରକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପଡ଼ିଲା ମହଙ୍ଗା । ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କ ନାମରେ ଦାୟର ହୋଇଛି ମାମଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେବା ପରେ ଓୱେସୀଙ୍କୁ ଗିରଫ ପାଇଁ ଏକ ସାମାଜିକ-ରାଜନୈତିକ ସଂଗଠନ ତରଫରୁ ଅଭିଯୋଗ କରାଯାଇଛି । ସେହିପରି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପୁରୀ ସିଂହଦ୍ୱାରା ପୋଲିସ ଷ୍ଟେସନରେ ଏକ ମାମଲା ଦାୟର କରିଛନ୍ତି ।

ଗତ ମାସରେ ମହାରାଷ୍ଟ୍ରର ଭିୱାଣ୍ଡିରେ ଏକ ରାଲିରେ ଓୱେସୀ ପୁରୀ ଶ୍ରୀମନ୍ଦିର ବିରୋଧରେ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ, ଶହ ଶହ ବର୍ଷର ପୁରୁଣା ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ବୌଦ୍ଧ ସ୍ମାରକୀ ଉପରେ ନିର୍ମାଣ କରାଯାଇଛି । ବୌଦ୍ଧମାନଙ୍କର ଧାର୍ମିକ ସ୍ଥଳରେ ଜଗନ୍ନାଥ ମନ୍ଦିର ନିର୍ମିତ ହୋଇଛି । ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକରେ ଏ ବିଷୟରେ ଆଲୋକପାତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ବାରାଣାସୀର ଜ୍ଞାନବାପୀ ମସଜିଦକୁ ନେଇ ସମଗ୍ର ଦେଶରେ ଗତ କିଛିଦିନ ଧରି ବିବାଦ ଜାରି ରହିଛି । ବିଭିନ୍ନ ରାଜ୍ୟରେ ଶହ ଶହ ଲୋକ ଏକତ୍ରିତ ହୋଇ ଏନେଇ ଧର୍ମଘଟ କରୁଛନ୍ତି । ତେବେ ଓୱେସୀ ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରୁଛନ୍ତି ବୋଲି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ କହିଛନ୍ତି । ତେବେ ଜଗନ୍ନାଥ ମନ୍ଦିର ଇନ୍ଦ୍ରଦ୍ୟୁମ୍ନଙ୍କ ଠାରୁ ଆରମ୍ଭ କରି ଚୋଡ଼ଗଙ୍ଗଦେବଙ୍କ ରାଜତ୍ୱ ପର୍ଯ୍ୟନ୍ତ ସମୟରୁ ରହିଆସିଛି ବୋଲି ଐତିହାସିକମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.