fbpx

ରାଷ୍ଟ୍ରପତି ନିର୍ବାଚନ ପାଇଁ ଚାଲିଛି ଅଙ୍କକଷା: ଏନ୍‌ଡିଏ ପ୍ରାର୍ଥୀ ଚୟନ ପାଇଁ ଚାଲିଛି ମାନସ ମନ୍ଥନ, ୟୁପିଏ ପ୍ରାର୍ଥୀ ପାଇଁ ବିରୋଧୀ ଏକାଠି

ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ରାଷ୍ଟ୍ରପତି ନିର୍ବାଚନ ପାଇଁ ବୁଧବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଫଳରେ ବୁଧବାର ଠାରୁ ଏହି ପଦବୀ ଲାଗି ନାମାଙ୍କନ ପତ୍ର ଦାଖଲ ପ୍ରକିୟା ଆରମ୍ଭ ହୋଇଛି । ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ ୨୯ ତାରିଖ ରଖାଯାଇଛି । ସେହିପରି ୩୦ରେ ନାମାଙ୍କନ ଯାଞ୍ଚ ହେବା ସହ ଜୁଲାଇ ୨ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ରହିଛି । ୧୮ରେ ଭୋଟ୍‌ଗ୍ରହଣ କରାଯାଇ ୨୧ ତାରିଖରେ ଗଣତି କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

ଓଡ଼ିଶା ବିଧାନସଭାର ନୋଟିସ୍‌ ବୋର୍ଡରେ ଏହି ବିଜ୍ଞପ୍ତି ଲଗାଯାଇଥିବା ସୂଚନା ମିଳିଛି । ତେବେ ଏହି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ସେନେଇ ମାନସ ମନ୍ଥନ ଆରମ୍ଭ ହୋଇଛି । ଏନେଇ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ନାମ ଚର୍ଚ୍ଚାରେ ରହିଛି । ସେହିପରି ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ କାହାକୁ ପ୍ରାର୍ଥୀ କରିବ ସେନେଇ ମଧ୍ୟ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରରେ କ୍ଷମତାସୀନ ବିଜେପି ନିଜ ମେଣ୍ଟ ଦଳ ସହ ୧୭ଟି ରାଜ୍ୟରେ କ୍ଷମତାରେ ରହିଛି । ବିଜେପି ପାଖରେ ମୋଟ୍‌ ୪୮.୯% ଭୋଟ୍‌ ରହିଛି । ମହାରାଷ୍ଟ୍ର, ରାଜସ୍ଥାନ, ଛତିଶଗଡ଼ ଭଳି ରାଜ୍ୟରେ କଂଗ୍ରେସ ଓ ତା’ର ସହଯୋଗୀ ଦଳ ଶାସନ କ୍ଷମତାରେ ରହିଛନ୍ତି । କଂଗ୍ରେସ ପାଖରେ ୨୧.୯% ଭୋଟ୍‌ ରହିଥିବାବେଳେ ପଶ୍ଚିମବଙ୍ଗରେ ଟିଏମ୍‌ସି, ତାମିଲନାଡୁରେ ଡିଏମ୍‌କେ, କେରଳରେ ବାମଦଳ, ଦିଲ୍ଲୀ ଓ ପଞ୍ଜାବରେ ଆପ୍‌ କ୍ଷମତାରେ ରହିଛି । ଏହି ଦୃଷ୍ଟିରୁ ଆଞ୍ଚଳିକ ଦଳ ପାଖରେ ୧୯.୭% ଭୋଟ୍‌ ରହିଥିବାବେଳେ ଅନ୍ୟାନ୍ୟ ଦଳ ପାଖରେ ୯.୫% ଭୋଟ୍‌ ଥିବା ସୂଚନା ମିଳିଛି । ତେବେ ବିଜେପି ପ୍ରାର୍ଥୀଙ୍କ ବିଜୟ ପାଇଁ ଆବଶ୍ୟକ ପଡ଼ୁଥିବା ୨% ଭୋଟ୍‌ ବେଶ୍‌ ଗୁରୁତ୍ୱବହନ କରୁଛି ।

ଆନ୍ଧ୍ରପ୍ରଦେଶରେ କ୍ଷମତାରେ ଥିବା ୱାଇଏସ୍‌ଆର୍‌ କଂଗ୍ରେସ, ଓଡ଼ିଶାରେ ବିଜେଡ଼ି ଓ ତେଲେଙ୍ଗାନାରେ ଟିଆର୍‌ଏସ୍‌ ପାଖରେ ମ୍ୟାଜିକ୍‌ ଭୋଟ୍‌ ରହିଛି । ୱାଇଆର୍‌ଏସ୍‌ ପାଖରେ ୪% ଭୋଟ୍‌ ରହିଥିବାବେଳେ ବିଜେଡ଼ି ନିକଟରେ ୨.୯% ଓ ଟିଆରଏସ୍‌ ପାଖରେ ୨.୨% ଭୋଟ୍‌ ରହିଛି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଲୋକସଭା ଓ ରାଜ୍ୟସଭାର ସାଂସଦମାନଙ୍କ ସହ ସବୁ ରାଜ୍ୟର ବିଧାୟକମାନଙ୍କ ଭୋଟ୍‌କୁ ମିଶାଯାଇ ଫଳାଫଳ ଘୋଷଣା କରାଯାଇଥାଏ । ଉତ୍ତର ପ୍ରଦେଶରେ ସବୁଠୁ ଅଧିକ ୧୫.୬%, ମହରାଷ୍ଟ୍ରରେ ୯.୩୩%, ପଶ୍ଚିମବଙ୍ଗରେ ୮.୧୬%, ବିହାରରେ ୭.୭୫%, ତାମିଲନାଡୁରେ ୭.୬୫% ଏବଂ ଓଡ଼ିଶାରେ ୪.୦୪% ଭୋଟ୍‌ ରହିଛି । ପ୍ରତି ସାଂସଦଙ୍କ ଭୋଟ୍‌ର ମୂଲ୍ୟ ୭୦୮ ହୋଇଥିବାବେଳେ ରାଜ୍ୟର ଜନସଂଖ୍ୟା ଭିତ୍ତିରେ ଏହାର ମୂଲ୍ୟ ରାଜ୍ୟ ଭିତ୍ତିରେ ଭିନ୍ନ ଭିନ୍ନ ହୋଇଥାଏ । ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ବସିଥିବା ବିରୋଧୀଦଳଙ୍କ ବୈଠକରେ ସର୍ବସମ୍ମତ ପ୍ରାର୍ଥୀ ଦେବା ପାଇଁ ନିଷ୍ପତ୍ତି ହୋଇଛି । ଏ ନେଇ ମମତା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.