ସୁପ୍ରିକୋର୍ଟରେ ପହଞ୍ଚିଲା ଅଗ୍ନିପଥ ବିରୋଧ, ବିଶେଷଜ୍ଞ କମିଟି ଜରିଆରେ ସମୀକ୍ଷା କରାଇବାକୁ ଦାବି

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାର ବିରୋଧ ଏବେ ସୁପ୍ରିମକୋର୍ଟରେ ପହଞ୍ଚି ଯାଇଛି। ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇ ସେନାରେ ନିଯୁକ୍ତି ପାଇଁ ଘୋଷିତ ଏହି ଯୋଜନାର ସମୀକ୍ଷା ହେତୁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ଦାବି କରାଯାଇଛି। କମିଟିର ଚେୟାରମ୍ୟାନ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ରହିବା ଉଚିତ୍। କମିଟି ପକ୍ଷରୁ ଏହା ସମୀକ୍ଷା କରାଯାଉ ଯେ, ଅଗ୍ନିପଥ ଯୋଜନା ସେନା ଏବଂ ଦେଶର ସୁରକ୍ଷା ଉପରେ କଣ ପ୍ରଭାବ ପକାଇବ। ଏହା ପରେ ଏହାକୁ ଲାଗୁ କରାଯିବା ଉପରେ ବିଚାର କରାଯିବା ଉଚିତ୍ ବୋଲି ଯାଚିକାରେ ଦାବି କରାଯାଇଛି। କେବଳ ଏତିକି ନୁହେଁ ଯୋଜନାକୁ ବିରୋଧ କରି ହେଉଥିନା ହିଂସାତ୍ମକ ପ୍ରଦର୍ଶନର ଯାଞ୍ଚ ପାଇଁ ଏସଆଇଟି ଗଠନ କରିବାକୁ ଦାବି କରାଯାଇଛି।

ଆବେଦନରେ କୁହାଯାଇଛି ଯେ, ସୁପ୍ରିମକୋର୍ଟ ଏସଆଇଟି ଗଠନ କରିବାକୁ ଆଦେଶ ଦିଅନ୍ତୁ। ଏହି କମିଟି ସନ୍ଧାନ କରନ୍ତୁ ଯେ, ସାର୍ବଜନୀନ ସଂପତ୍ତିର କେତେ କ୍ଷତି ଘଟିଛି। ସବୁ ଦିଗକୁ ଦୃଷ୍ଟିରେ ରଖି ସମୀକ୍ଷା କରନ୍ତୁ, ଯଦି ଉଚିତ୍ ଲାଗୁଛି ତେବେ ଏହି ଯୋଜନା ଲାଗୁ କରାଯାଉ, ନଚେତ୍ ପ୍ରତ୍ୟାହାର କରାଯାଉ ବୋଲି ଯାଚିକାରେ ଦାବି କରାଯାଇଛି। ଅଗ୍ନିପଥ ଯୋଜନାର ବିରୋଧ ଲଗାତାର ବଢିବାରେ ଲାଗିଛି। ଆରଜେଡି ବିହାରରେ ଭାରତ ବନ୍ଦର ଡାକରା ଦେଇଛି। ଏହି ବନ୍ଦକୁ ଏନଡିଏରେ ସାମିଲ୍ ଦଳ ହମ୍ ସମର୍ଥନ ଦେଇଛି। ଏହା ବ୍ୟତୀତ ଭିଆଇପି ପକ୍ଷରୁ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରାଯାଉଛି। ଶନିବାର ସକାଳେ ବିହାରର ଭିନ୍ନ ଭିନ୍ନ ଅଞ୍ଚଳରେ ବ୍ୟାପକ ସଂଖ୍ୟାରେ ଲୋକେ ସଡକକୁ ଓହ୍ଲାଇଛନ୍ତି।

ଅଗ୍ନିପଥ ଯୋଜନାକୁ ନେଇ କଂଗ୍ରେସ ମଧ୍ୟ ସଡକକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ଦଳ ଘୋଷଣା କରିଛି ଯେ, ନିଜ ସାଂସଦ, କାର‌୍ୟ୍ୟକାରିଣୀ କମିଟିର ସଦସ୍ୟ ଏବଂ ପାର୍ଟିର ଅନ୍ୟ ପଦାଧିକାରୀଙ୍କୁ ନେଇ ଜନ୍ତର ମନ୍ତରରେ ପ୍ରଦର୍ଶନ କରିବ। ଆମ୍ ଆଦମୀ ପାର୍ଟି ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦେଶର ଅନେକ ରାଜ୍ୟରେ ଅଗ୍ନିପଥ ବିରୋଧରେ ହିଂସାତ୍ମକ ଆନ୍ଦୋଳନ ଜାରି ରହିଛି। ଉତ୍ତର ପ୍ରଦେଶ, ବିହାର, ହରିୟାଣା, ରାଜସ୍ଥାନ ସମେତ ଅନେକ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ ହିଂସାର ରୂପ ନେଇ ସାରିଛି।