fbpx

୫୦୦ ବର୍ଷ ପରେ ପାବାଗଡ଼ ମହାକାଳୀ ମନ୍ଦିରରେ ଉଡ଼ିଲା ପତାକା: ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଗୁଜରାଟର ପଞ୍ଚମହଲ ଜିଲ୍ଲାରେ ଥିବା ପ୍ରସିଦ୍ଧ ମହାକାଳୀ ମନ୍ଦିରରେ ୫୦୦ ବର୍ଷ ପରେ ପତାକା ଲଗାଯାଇଛି । ଯାହାର ଉଦଘାଟନ କରିଛନ୍ତି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି । ମନ୍ଦିର ଉପରେ ତିଆରି ହୋଇଥିବା ଦରଗାହକୁ ଏହାର ଯତ୍ନ ନେଉଥିବା କମିଟିର ସହମତିରେ ସ୍ଥାନାନ୍ତରିତ କରାଯିବା ପରେ ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଉ ଆଜି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିରର ପତାକାକୁ ଉନ୍ମୋଚନ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ମୋଦୀ କହିଛନ୍ତି ମନ୍ଦିରରେ ଲଗାଯାଇଥିବା ପତାକା କେବଳ ଆମର ଆଧ୍ୟାତ୍ମିକତାର ପ୍ରତୀକ ନୁହେଁ ବରଂ ଏହା ଦର୍ଶାଉଛି ଯେ ଶତାବ୍ଦୀ ବିତିଯାଇଥିଲେ ମଧ୍ୟ ଆମର ବିଶ୍ୱାସ ଦୃଢ଼ ରହିଛି । ସେ ଆହୁରି କହିଛନ୍ତି ଯେ ବିଶ୍ୱାସ ଏବଂ ଆଧ୍ୟାତ୍ମିକତାର ପୁନଃ ପ୍ରତିଷ୍ଠିତ ହେଉଛି । ମୋଦୀ କହିଛନ୍ତି ଯେ ବିଗତ ପାଞ୍ଚ ଦଶନ୍ଧି ଏମିତିକି ସ୍ୱାଧୀନତାର ୭୫ ବର୍ଷ ପରେ ବି ମା’ କାଳୀଙ୍କ ଏହି ମନ୍ଦିରର ପତାକା ଲଗାଯାଇପାରିନଥିଲା, ଆଜି ତାହା ସମ୍ଭବ ହୋଇଛି । ଆଜି ଲକ୍ଷ ଲକ୍ଷ ଭକ୍ତଙ୍କ ସ୍ୱପ୍ନ ପୂରଣ ହୋଇଛି, ମନ୍ଦିର ଏହାର ପୂର୍ବ ଗୌରବ ଫେରିପାଇଛି ।

ଏହି ଅବସରରେ ମୋଦୀ କହିଥିଲେ ଯେ ପାବାଗଡ଼ର ମା’ କାଳୀ ମନ୍ଦିରର ପୁନଃନିର୍ମାଣ ‘ଗୌରବ ଯାତ୍ରା’ ର ଅଂଶ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ, କାଶୀବିଶ୍ୱନାଥ ମନ୍ଦିରର ପୁନଃନିର୍ମାଣ, କେଦାରନାଥ ମନ୍ଦିରର ଉନ୍ନତୀକରଣ ଏହା ମଧ୍ୟ ଏହି ଗୌରବ ଯାତ୍ରାର ଅଂଶ । ଆମର ବିଶ୍ୱାସ ଆଧ୍ୟାତ୍ମିକତାର ଗୌରବ କେନ୍ଦ୍ରର ପୁନଃପ୍ରତିଷ୍ଠା କରାଯାଉଛି ।

ସୂଚନାଯୋଗ୍ୟ, ଏହି ମନ୍ଦିରର ଶିଖରକୁ ୫୦୦ ବର୍ଷ ପୂର୍ବେ ସୁଲତାନ ମହମୁଦ ବେଗଡ଼ା ନଷ୍ଟ କରିଥିଲେ । ପାବାଗଡ଼ ପାଡ ଉପରେ ଏକାଦଶ ଶତାବ୍ଦୀ ରେ ତିଆରି ହୋଇଥିବା ଏହି ମନ୍ଦିରର ଶିଖରକୁ ପୁନର୍ବିକାଶ ଯୋଜନା ଅନୁସାରେ ପୁନଃ ସ୍ଥାପନ କରାଯାଇଛି । ମନ୍ଦିରରେ ପାରମ୍ପରିକ ଲାଲ ପତାକା ଲଗାଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ମନ୍ଦିର ଚମ୍ପାନେର-ପାବାଗଢ଼ ପ୍ରତ୍ନତାତ୍ତ୍ୱିକ ପାର୍କର ଅଂଶ ଯାହା ୟୁନେସ୍କୋ ର ବିଶ୍ୱ ହେରିଟେଜ୍ ତାଲିକାରେ ସାମିଲ ରହିଛି । ପ୍ରତି ବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ ମନ୍ଦିର ଦର୍ଶନକ କରିବାକୁ ଆସିଥାନ୍ତି ।

କୁହାଯାଏ ଯେ ଋଷି ବିଶ୍ୱାମିତ ପାବାଗଡ଼ରେ ଦେବୀ କାଳୀଙ୍କ ପ୍ରତିମାର ପ୍ରାଣ ପ୍ରତିଷ୍ଠା କରିଥିଲେ । ମନ୍ଦିରର ମୂଳ ଶିଖରକୁ ସୁଲତାନ ମହମୁଦ ବେଗଡ଼ ପଞ୍ଚଦଶ ଶତାବ୍ଦୀରେ ଚମ୍ପାନୋର ଉପରେ କରିଥିବା ଆକ୍ରମଣ ସମୟରେ ଧ୍ୱଂସ କରିଦେଇଥିଲା । ଯାହାର କିଛି ସମୟ ବ୍ୟବଧାନ ପରେ ମନ୍ଦିର ଉପରେ ପୀର ସଦନଶାହଙ୍କ ଦରଗାହ ତିଆରି କରିଦିଆଯାଇଥିଲା । ପତାକା ଲଗାଇବା ପାଇଁ ଶିଖରର ଆବଶ୍ୟକତା ରହିଥାଏ । ଯେହେତୁ ମନ୍ଦିରରେ ଶିଖର ନଥିଲା ତେଣୁ ଏଠାରେ ପତାକା ଲଗାଯାଇପାରୁନଥିଲା । ଯେତେବେଳେ କିଛି ବର୍ଷ ପୂବେ ପୁନର୍ବିକାଶ କାମ ଆରମ୍ଭ ହୋଇଥିଲା ସେତେବେଳେ ଦରଗାହର ଦାୟିତ୍ୱରେ ଥିବା ଅନୁରୋଧ କରାଯାଇଥିଲା ଯେ ସେ ଦରଗାହକୁ ସ୍ଥାନାନ୍ତରିତ କରନ୍ତୁ ଫଳରେ ମନ୍ଦିରର ଶିଖରର ପୁନଃ ନିର୍ମାଣ ହୋଇପାରିବ ।

ସୂଚନାଯୋଗ୍ୟ, ୧୨୫ କୋଟି ବ୍ୟୟରେ ମନ୍ଦିରର ପୁର୍ନବିକାଶ କାର୍ଯ୍ୟ କରାଯାଇଛି ।

 

Get real time updates directly on you device, subscribe now.