fbpx

ସାରା ଓଡ଼ିଶାକୁ ଛୁଇଁଲା ମୌସୁମୀ ବାୟୁ

ନୂଆଦିଲ୍ଲୀ: ଆଜି ସାରା ରାଜ୍ୟକୁ ଅଗ୍ରସର ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ସବୁ ପ୍ରାନ୍ତକୁ ପ୍ରବେଶ କରି ପ୍ରବାହିତ ହେଉଥିବା କଥା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରଗତି ସଂକ୍ରାନ୍ତରେ ଜାରି ବିବୃତିରେ ଆଜି ଭାରତୀୟ ପାଣିପାଗ ବିଭାଗ କହିଛି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ଅଗ୍ରସର ହୋଇ ମଧ୍ୟପ୍ରଦେଶର ଅଧିକାଂଶ ଅଞ୍ଚଳ, ଛତିଶଗଡ଼ ଓ ଉତ୍ତରପଶ୍ଚିମ ବ‌ଙ୍ଗୋପସାଗରର ବାକି ଅଞ୍ଚଳ, ସମଗ୍ର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡର ଓ ବିହାର ଅଧିକାଂଶ ଅଞ୍ଚଳ ଓ ଦକ୍ଷିଣ-ପୂର୍ବ ଉତ୍ତର ପ୍ରଦେଶର କିଛି ଅଞ୍ଚଳକୁ ବ୍ୟାପି ଯାଇଛି।

ତେବେ ଶେଷ ରଜରେ ଓଡିଶା ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ପ୍ରଭାବରେ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା । କିନ୍ତୁ ପରେ ପାଗ ଅନୁକୁଳ ନଥିବାରୁ ଆଗକୁ ବଢିପାରୁନଥିଲା ମୌସୁମୀ ବାୟୁ । ଏବେ ପାଗ ଅନୁକୁଳ ହେବାରୁ ଆଗକୁ ବଢିଛି ମୌସୁମୀ ବାୟୁ । ଧୀରେ ଧୀରେ ଏବେ ପୁରା ରାଜ୍ୟକୁ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଯାହାଫଳରେ ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ଗୁରୁବାର ପର୍ଯ୍ୟନ୍ତ ଆସାମ ଓ ମେଘାଳୟରେ ପ୍ରବଳରୁ ପ୍ରବଳତର ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି।ସୂଚନାଯୋଗ୍ୟ, ବୃଷ୍ଟିପାତଜନିତ ବନ୍ୟା ଓ ଭୂସ୍ଖଳ ହେତୁ ଆସାମରେ ୭୧ଜଣଙ୍କର ମୃତ୍ୟୁ ଘଟିବା ସହିତ ୩୩ଟି ଜିଲ୍ଲାରେ ୪୨ ଲକ୍ଷ ଜନତା ପ୍ରଭାବିତ ହୋଇଛନ୍ତି। ଏପର୍ଯ୍ୟନ୍ତ ଅନ୍ୟୂନ ୮ଜଣ ବ୍ୟକ୍ତି ନିଖୋଜ ଥିବା ଜଣାପଡିଛି ।

Get real time updates directly on you device, subscribe now.