ସୋନିଆଙ୍କ ବ୍ୟକ୍ତିଗତ ସଚିବଙ୍କ ନାମରେ ଦାୟର ହେଲା ଦୁଷ୍କର୍ମ ମାମଲା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବ୍ୟକ୍ତିଗତ ସଚିବ (ପିଏସ) ଙ୍କ ନାମରେ ଏକ ମାମଲା ଦାୟର ହୋଇଛି । ପିଏସ ପିପି ମାଧବନଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଜଣେ ଦଳିତ ମହିଳା । ମାଧବନ ଉକ୍ତ ମହିଳାଙ୍କୁ ବିବାହ କରିବା ଓ ଚାକିର ଦେବାର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ପରେ ବିଭିନ୍ନ ପ୍ରଶ୍ନ ଉଠିଛି ।

ଅଭିଯୋଗ ଦାୟର ହେବା ପରେ ଦିଲ୍ଲୀର ଉତ୍ତମ ନଗର ଥାନାରେ ପୋଲିସ ଏକ ମାମଲା ଦାୟର କରିଛି । ତେବେ ଜଣାପଡ଼ିଛି ଯେ, ଅଭିଯୋଗକାରିଣୀ ମହିଳାଙ୍କ ପତି କଂଗ୍ରେସ କାର୍ଯ୍ୟାଳୟରେ ହୋର୍ଡିଂ ଲଗାଉଥିଲେ । ଗତ ୨୦୨୦ରେ ମହିଳାଙ୍କ ପତିଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ମାଧବନ ଉକ୍ତ ମହିଳାଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଏହି ମାମଲାରେ ଗତ ୨୬ ତାରିଖରେ ଦିଲ୍ଲୀର ଉତ୍ତମ ନଗର ଥାନାରେ ଦୁଷ୍କର୍ମ ମାମଲା ଦାୟର କରାଯାଇଥିଲା । ଏଥିସହିତ ପୋଲିସ ଦିଲ୍ଲୀର ଡିଡିୟୁ ହସ୍ପିଟାଲରେ ମହିଳାଙ୍କର ମେଡିକାଲ କରାଇଥିଲା । ଗତ ଫେବୃଆରୀ ମାସରେ ମହିଳାଙ୍କ ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ମାଧବନଙ୍କ ନାମରେ ଭାରତୀୟ ପେନାଲ କୋର୍ଡର ୩୭୬ ଓ ୫୦୬ ଧାରାରେ ମାମଲା ରୁଜୁ ହୋଇଛି । ମାଧବନଙ୍କୁ ଏବେ ୭୧ ବର୍ଷ ହୋଇଥିବା ବେଳେ ସେ ସୋନିଆଙ୍କ ବ୍ୟକ୍ତିଗତ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଛନ୍ତି ।