fbpx

ବକ୍ରଦେଉଳ ବିମଳେଶ୍ୱର: ଜାଣନ୍ତୁ କିପରି ବକ୍ର ହେଲା ମନ୍ଦିର

ଓଡ଼ିଶା ଭାସ୍କର: ରହସ୍ୟରେ ଭରା ଓଡ଼ିଶାର ଅନେକ ମନ୍ଦିର । ମନ୍ଦିର ଯେତେ ସୁନ୍ଦର ତାର ରହସ୍ୟ ମଧ୍ୟ ସେତେ ଗଭୀର । ସେହିପରି ରହସ୍ୟମୟୀ ମନ୍ଦିର ମଧ୍ୟରୁ ବକ୍ର ଦେଉଳ ଭାବେ ପରିଚିତ ବିମଳେଶ୍ୱର ମନ୍ଦିର ଅନ୍ୟତମ । ଏହି ମନ୍ଦିର ସାମାନ୍ୟ ଢଳି ରହିଥିବାରୁ ଏହାକୁ ବକ୍ର ଦେଉଳ କୁହାଯାଏ । ମହାନଦୀ କୂଳରେ ନିର୍ମିତ ଏହି ମନ୍ଦିରର ଶେ।।ଭା ଅତ୍ୟନ୍ତ ମନୋରମ । କେଉଁ ଅନାଦି କାଳରୁ ବାବା ବିମଳେଶ୍ୱର ଏଠାରେ ପୁଜା ପାଇ ଆସୁଛନ୍ତି ।

ସମ୍ବଲପୁର ଜିଲ୍ଲାର ମାଣେଶ୍ୱର ବ୍ଲକ ଅନ୍ତର୍ଗତ ହୁମା ଗାଁରେ ଅବସ୍ଥିତ ବାବା ବିମଳେଶ୍ୱର ମନ୍ଦିର । ସେହିପରି ଏହି ମନ୍ଦିରର ରହିଛି ଅନେକ କିମ୍ବଦନ୍ତୀ । ଏହି ମନ୍ଦରଟି ବକ୍ର ହେବାର ପ୍ରମୁଖ କାରଣ ହେଉଛି ମନ୍ଦିରର ପାଶ୍ୱର୍ରେ ଥିବା ମହାନଦୀ । ୨୦୦ ଫୁଟ ଲମ୍ବ ୧୨୦ ଫୁଟ ପ୍ରସ୍ଥ ବିଶିଷ୍ଟ ଏହି ମନ୍ଦିରଟି ୪୭ଂ କୋଣରେ ଢଳି ରହିଛି । ମନ୍ଦିର ବକ୍ର ହେବାରେ ପ୍ରକୃତ କାରଣ ଏବେ ମଧ୍ୟ ରହସ୍ୟ ଘେରରେ । ଲୋକକଥା ଅନୁସାରେ ବର୍ଷାଦିନେ ମହାନଦୀର ବନ୍ୟା ସମୟରେ ମନ୍ଦିରର କ୍ଷତି ନହେବା ପାଇଁ ଏହାକୁ ସାମାନ୍ୟ ବଙ୍କା କରି ନିର୍ମାଣ କରାଯାଇଥିଲା । କିନ୍ତୁ ମନ୍ଦିର ପୂର୍ବରୁ ସିଧା ଥାଇ ବର୍ତ୍ତମାନ ଢଳି ଯାଇଥିବା କିଛି ଲୋକ ଦାବି କରିଛନ୍ତି । ସେହିପରି ମହାନଦୀରେ ହେଉଥିବା ବନ୍ୟାରେ ମନ୍ଦିର ପାଶ୍ୱର୍ର ମାଟି ଦବି ଯାଇ ମନ୍ଦିର ଢଳି ଯାଇଥିବା ଲୋକମାନେ ପ୍ରକାଶ କରିଛନ୍ତି ।

ମନ୍ଦିର ପାଶ୍ୱର୍ରେ ରହିଥିବା ନଦୀଘାଟରେ କୁଡ଼ୋ ମାଛ ମନ୍ଦିର ଶୋଭାକୁ ଦ୍ୱିଗୁଣିତ କରାଏ । ପୋଷା ମାଛ ପରି ମଣିଷ ହାତରୁ ଖାଦ୍ୟ ଖାଇଥାନ୍ତି ଏହି ମାଛ । ବିଶ୍ୱାସ କରାଯାଏ ଭଗବାନ ବିଷ୍ଣୁ ମୀନ ଅବତାରରେ ଏଠାରେ ରହିଛନ୍ତି । ଥରେ ଜଣେ ବୃଦ୍ଧ ଏହି ମାଛକୁ ଖାଇବା ପାଇଁ ଇଚ୍ଛା କରି କାଟିବାକୁ ଚେଷ୍ଟା କରିବା ଫଳରେ ବୃଦ୍ଧ ପଥରରେ ବଦଳି ଯାଇଥିବାର ଲୋକକଥା ରହିଛି । ଏହି ମନ୍ଦିରରେ ଥିବା ଶିବଲିଙ୍ଗ ପାତାଳରୁ ବାହାରିଥିବା କୁହାଯାଏ ।

କିମ୍ବଦନ୍ତୀ ଅନୁସାରେ ଏହି ଶିବଲିଙ୍ଗ ଉପରେ ଗୋଟିଏ ଗାଈର କ୍ଷୀର ସ୍ୱତଃ ଝରୁଥିଲା । ଗାଈ ନିକଟରୁ କ୍ଷୀର ନମିଳିବାରୁ ଗାଈ ମାଲିକର ସନ୍ଦେହ ହୋଇଥିଲା । ପରେ ଗାଈ ମାଲିକ ଗାଈକୁ ଜଗିବା ସମୟରେ ହିଁ କ୍ଷୀର ସ୍ୱତଃ ଶିବଲିଙ୍ଗ ଉପରେ ଝରୁଥିବାର ଦେଖିଥିଲା । ଏ କଥା ଗ୍ରାମବାସୀଙ୍କ ନିକଟରେ ପ୍ରକାଶ କରିବା ପରେ ବାବା ବିମଳେଶ୍ୱରଙ୍କ ମହିମା ପ୍ରକାଶ ପାଇଥିଲା ।

ଲୋକକଥା ଅନୁସାରେ ସମ୍ବଲପୁରର ପଞ୍ଚମ ରାଜା ବଳିୟାର ସିଂ ଦେବ ଏହି ମନ୍ଦିରକୁ ୧୬୬୦-୧୬୮୮ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରିଥିଲେ । ସେହିପରି ସମ୍ବଲପୁରର ପ୍ରଥମ ରାଜା ବଳରାମ ଦେବ ଏହି ମନ୍ଦିର ନିର୍ମାଣ କରିଥିବା କିଛି ଲୋକ ଦାବି କରନ୍ତି ।

 

Get real time updates directly on you device, subscribe now.