fbpx

(Video) ମେୟରଙ୍କ କନିଆଁ ସାଜିଲା କୁମ୍ଭୀର: ପାରମ୍ପରିକ ଗୀତରେ ଦୁଲୁକିଲା ସହର

ବାଜା ବାଣ ରୋଷଣୀ ନେଇ ଆସିଲା ବରଯାତ୍ରୀ । ପାରମ୍ପରିକ ଗୀତ ବାଦ୍ୟରେ ଦୁଲୁକିଲା ସହର । ବର ସାଜିଲେ ମେୟର ଆଉ ତାଙ୍କ କନିଆଁ ସାଜିଲା କୁମ୍ଭୀର । କୁମ୍ଭୀର ସହ ବିବାହ କରିଲେ ଜଣାଶୁଣା ମେୟର । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ମେକ୍ସିକୋର ଛୋଟ ନଗରୀ ସାନ୍ ପେଡ୍ରୋ ହୁଆମେଲୁଲା । ଏଠାକାର ମେୟର ଏକ କୁମ୍ଭୀରକୁ ବିବାହ କରିଛନ୍ତି ।

ଏହି ଅଦ୍ଭୁତ ବିବାହର ପୂରା ଭିଡିଓ ‘ରଏଟର୍ସ’ ତା’ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରିଛି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଆୟୋଜିତ ଉକ୍ତ ବିବାହରେ ସାନ୍ ପେଡ୍ରୋ ହୁଆମେଲୁଲାର ମେୟର ଭିକ୍ଟର ହ୍ୟୁଗୋ ସୋସା ବର ସାଜିଥିଲେ ଆଉ ତାଙ୍କ କନିଆଁ ସାଜିଥିଲା ୭ ବର୍ଷୀୟ କୁମ୍ଭୀର । ସେ ଖ୍ରୀଷ୍ଟିଆନ ରୀତିନୀତିରେ ଏକ ଚର୍ଚ୍ଚରେ କୁମ୍ଭୀରକୁ ବିବାହ କରିଛନ୍ତି ।

କେବଳ ସେତିକି ନୁହେଁ ସେ ତାଙ୍କ ନବ ବିବାହିତ ସ୍ତ୍ରୀକୁ ସମସ୍ତଙ୍କ ସାମ୍ନାକୁରେ ବାରମ୍ବାର ଚୁମ୍ବନ ମଧ୍ୟ ଦେଇଛନ୍ତି । କେବଳ ସେତିକି ନୁହେଁ କୁମ୍ଭୀରକୁ କୋଳରେ ଧରି ନାଚିଛନ୍ତି ମଧ୍ୟ । ମେକ୍ସିକୋ ଅନ୍ତର୍ଗତ ଓଆକ୍ସାକା ପ୍ରଦେଶର ଚୋଣ୍ଟାଲ୍ ଏବଂ ହୁଆଭେ ଜନଜାତି ସମ୍ପ୍ରଦାୟଙ୍କ ମଧ୍ୟରେ କୁମ୍ଭୀର-ବିବାହ ପ୍ରଥା ପ୍ରାକ୍-ହିସ୍ପାନିକ୍ ଯୁଗରୁ ଚଳି ଆସୁଛି । ଧନ-ଧାନ୍ୟ କାମନା କରି ସେଠାକାର ଲୋକେ କୁମ୍ଭୀରକୁ ବିବାହ କରିବା ପରମ୍ପରା ରହିଛି ।

ଓଆକ୍ସାକାର ‘ଷ୍ଟିମି ପେସିଫିକ୍’ ଉପକୂଳରେ ଥିବା କ୍ଷୁଦ୍ର ମାଛଧରା ଗାଁର ମେୟର ସୋସା ଯଥେଷ୍ଟ ବର୍ଷା, ଯଥେଷ୍ଟ ଖାଦ୍ୟ ଓ ଆମ ନଦୀରେ ପ୍ରଚୁର ମାଛ ପାଇଁ ସେ କୁମ୍ଭୀର ସହ ବିବାହ କରିଛନ୍ତି । ସାନ୍ ପେଡ୍ରୋ ହୁଆମେଲୁଲାର ଉକ୍ତ ଆଦିମ ପ୍ରଥା (କୁମ୍ଭୀର ବିବାହ) ଏବେ ‘କ୍ୟାଥୋଲିକ୍’ ଲୋକବିଶ୍ୱାସରେ ମିଶି ଗଲାଣି ।

ଏହି ପ୍ରଥା ଅନୁସାରେ, କୁମ୍ଭୀରକୁ ଧଳା ବିବାହ ପୋଷାକ ଏବଂ ଅନ୍ୟାନ୍ୟ ରଙ୍ଗିନ ପୋଷାକ ପିନ୍ଧାଇ କନ୍ୟା ବେଶରେ ସଜାଇ ଦିଆଯାଏ । ଟିକି ରାଜକୁମାରୀ କୁହାଯାଉଥିବା ମେୟର ସୋସାଙ୍କ ୭ ବର୍ଷୀୟ କୁମ୍ଭୀର-କନ୍ୟାଟି ବସୁମତୀଙ୍କ ଚଳନ୍ତି ପ୍ରତିମା ବୋଲି ଲୋକମାନଙ୍କ ବିଶ୍ୱାସ । ସ୍ଥାନୀୟ ନେତାଙ୍କ ସହ ତାଙ୍କର ବିବାହ ଅର୍ଥ ହେଲା ମାନବ ଓ ଈଶ୍ୱରଙ୍କ ମଧ୍ୟରେ ସୁସମ୍ପର୍କ ।

Get real time updates directly on you device, subscribe now.